Unknown

 

 

 

 

 

 

 

 

 

ଉତ୍କଳ ପତ୍ରିକା

ପଣ୍ଡିତ ମୃତ୍ୟୁଞ୍ଜୟ ରଥ

 

ଊନବିଂଶ ଶତାବ୍ଦୀ

 

୧. ଉତ୍କଳ ଦୀପିକା

 

ଏ ଦେଶରେ ମୁଦ୍ରାଯନ୍ତ୍ର ଓ ସମ୍ବାଦପତ୍ରର ପ୍ରଥମ ପ୍ରଚାରର ପ୍ରଶଂସା ବୈଦେଶିକ ମିଶନେରୀମାନଙ୍କର ପ୍ରାପ୍ୟ । ସେହିମାନେ ଯେ ସର୍ବପ୍ରଥମେ ଏ ଦେଶକୁ ମୁଦ୍ରାଯନ୍ତ୍ର ଅଣାଇ ଦେଶୀୟ ଭାଷାରେ ପୁସ୍ତକ ମୁଦ୍ରଣ ଓ ସମ୍ବାଦ ପତ୍ର ପ୍ରଚାର କରାଇଥିଲେ, ଏ କଥା ଇତିହାସ ପାଠକମାନଙ୍କୁ ଅବିଦିତ ନାହିଁ । ଓଡ଼ିଶାରେ ମିଶନ ଯନ୍ତ୍ରାଳୟ ହିଁ ବୟସରେ ଜ୍ୟେଷ୍ଠ । ତାହାର ପ୍ରାୟ ତିରିଶ ବର୍ଷ ଉତ୍ତାରେ କଟକ ପ୍ରିଣ୍ଟିଙ୍ଗ୍‌ କୋମ୍ପାନୀର ଯନ୍ତ୍ରାଳୟ ସ୍ଥାପିତ ହୋଇଅଛି । ଏହି ଯନ୍ତ୍ରାଳୟ ସ୍ଥାପିତ ହେବାର ପ୍ରାୟ ବର୍ଷକ ପୂର୍ବରୁ ଅନ୍ଧକାରମୟ ଉତ୍କଳ ଗଗନରେ ‘ଉତ୍କଳଦୀପିକା’ ପ୍ରଥମ ଜ୍ୟୋତିରେଖା ରୂପରେ ଦେଖା ଦେଇଅଛି । ଉତ୍କଳର ବାର୍ତ୍ତାବହ ସମାଜରେ ଏହି ‘ଦୀପିକା’ ହିଁ ଜ୍ୟେଷ୍ଠ ଏବଂ ଦୀର୍ଘାୟୁ । ‘ଦୀପିକା’ ତାହାର ସ୍ଥିତିକାଳ ମଧ୍ୟରେ କେତେ ସହଯୋଗୀ ବାର୍ତ୍ତାବହର ଜନ୍ମ, ଅଭ୍ୟୁତ୍‌ଥାନ ଏବଂ ଅକାଳମୃତ୍ୟୁ ଦେଖି ଆସିଅଛି, ଏ ନବଜାଗରଣ ଯୁଗରେ ଦେଶର ବିବିଧ ବିଭାଗର ପରିବର୍ତ୍ତନମାନ ଲକ୍ଷ୍ୟ କରି ଆସିଅଛି ଏବଂ ସ୍ୱଦେଶର କେତେ ସୁଖ ଦୁଃଖ ନିଜ ଅଙ୍ଗରେ ନିହିଅଛି । ଆଜି ୫୦ ବର୍ଷର ବୃଦ୍ଧ ସେହି ଦୀପିକା ସାହାଯ୍ୟରେ ଏ ଅକିଞ୍ଚନ ଲେଖକ ତାହାର ମୃତ ଜୀବିତ ବିଭିନ୍ନ ବୟସର ସହଯୋଗୀ ମାନଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବାକୁ ଅକିଞ୍ଚିତ୍‌ ସମର୍ଥ ହୋଇଅଛି । ପୂର୍ବପୁରୁଷମାନଙ୍କର ଅତୀତ କାହାଣୀ ଶୁଣିବା ପାଇଁ ଶ୍ରୋତାଗଣଙ୍କର ଯେପରି କୌତୂହଳ ଜନ୍ମିଥାଏ, ଏଥି ପ୍ରତି ସେମାନଙ୍କର ସେହି ପରି ଆଗ୍ରହ ଜନ୍ମିବାର ଆଶା କରାଯାଏ, ଏହି ଆଶାବନ୍ଧ ହିଁ ଲେଖକକୁ ଲେଖନୀ ଧାରଣରେ ସାହସୀ କରାଇଅଛି ।

ଦିବ୍ୟସିଂହ ଦେବଙ୍କ ନଅ ଅଙ୍କ ବା ଖ୍ରୀଷ୍ଟାବ୍ଦ ୧୮୬୬ରେ ସଂଘଟିତ ଭୀଷଣ ଦୁର୍ଭିକ୍ଷର ରୋମହର୍ଷଣ କାହାଣୀ ଅଦ୍ୟାପି ଓଡ଼ିଶାବାସୀଏ ବିସ୍ମିତ ହୋଇ ନାହାନ୍ତି, ଏବେ ସୁଦ୍ଧା ସେ ମହାମଡ଼କର ଦାରୁଣ ବାର୍ତ୍ତା କର୍ଣ୍ଣଗୋଚର ହେଲେ ଆମ୍ଭମାନଙ୍କର ସର୍ବାଙ୍ଗ ରୋମାଞ୍ଚିତ ହେଉଅଛି । ଏହି ଖଣ୍ଡପ୍ରଳୟ କାଳରେ ଦେଶର ଚତୁଃପାର୍ଶ୍ୱର ଶୋଚନୀୟ ଘଟନାମାନ ରାଜପୁରୁଷବର୍ଗ ତଥା ଦେଶନାୟକଗଣଙ୍କ କର୍ଣ୍ଣଗୋଚର କରାଇବା ଲାଗି କେତେକ ଜଣ ଦେଶହିତୈଷୀଙ୍କ ଯତ୍ନରେ ଏ ନଗରରେ ‘ଦୀପିକା’ର ସୃଷ୍ଟି ହୋଇଥିଲା । ତେତେବେଳେ ମୁଦ୍ରାଯନ୍ତ୍ର ଆସି ନ ଥିବାରୁ ପ୍ରଥମେ ପ୍ରସ୍ତର ଫଳକରେ ଲେଖି ମସୀ ଲେପନରେ ଛାପା କରାଯାଉଥିଲା । ପ୍ରାୟ ବର୍ଷେ କାଳ ଏହି ହସ୍ତଲିଖିତ ପତ୍ରିକା ଦେଶରେ ପ୍ରଚାରିତ ହୋଇଥିଲା । ପ୍ରଥମ ଦୁଇ ବର୍ଷରେ ଏହାର ପ୍ରତ୍ୟେକ ସ୍ତମ୍ଭ କେବଳ ସେହି କରାଳ ଦୁର୍ଭିକ୍ଷର ମର୍ମବିଦାରଣ କାହାଣୀରେ ପୂର୍ଣ୍ଣ ଥିଲା । ଦୁଃଖରେ ଜନ୍ମି ଦୀପିକା ସେହି କାଳରୁ ଅତି ସଂଯତ ଭାବରେ ଜନନୀ ଉତ୍କଳ ଭୂମିର ଦୁଃଖ ଜଣାଇବାରେ ନିରତ ରହିଅଛି । ଦୀପିକା ଏପର୍ଯ୍ୟନ୍ତ କେଉଁ କେଉଁ କାର୍ଯ୍ୟ କରିଅଛି, ସେ ସମସ୍ତ ବର୍ଣ୍ଣନା କରିବାକୁ ଗଲେ ଗୋଟିଏ ସ୍ୱତନ୍ତ୍ର ପ୍ରବନ୍ଧ ହୋଇଯିବ । ଏଥିରେ ସେଥିକି ସ୍ଥାନ ଯୋଗାଇ ପ୍ରବନ୍ଧର ଆକାର ଦୀର୍ଘ କରିବା ସଙ୍ଗତ ବୋଧ ହେଉନାହିଁ । ତଥାପି ଦୀପିକାର ଜନ୍ମକଥା କହି ତାହାର ପ୍ରାଣ ପରିପୋଷାକଙ୍କ ନାମୋଚ୍ଚାରଣ ନ କରି ଆଉ ଅଧିକ ଅଗ୍ରସର ହେବାକୁ ପ୍ରବୃତ୍ତି ହେଉନାହିଁ । ସେ କର୍ମଯୋଗୀ ଗୌରୀଶଙ୍କର ! ଏ ମହାତ୍ମା ରାଜ କାର୍ଯ୍ୟରେ ନିଯୁକ୍ତ ଥାଇ ପ୍ରାରମ୍ଭରୁ ‘ଦୀପିକା’ର ସମ୍ପାଦକ ପଦ ଗ୍ରହଣ କରିଥିଲେ । ତାହାର ପରିପୁଷ୍ଟି ନିମିତ୍ତ ସେ ପ୍ରାଣପଣରେ ଶକ୍ତି ସାମର୍ଥ୍ୟ ବ୍ୟୟ କରି ଅଛନ୍ତି ଏବଂ ପ୍ରାୟ ପଚାଶ ବର୍ଷ କାଳ ଅଚଳବତ୍ ଅଟଳ ଥାଇ ବ୍ରଜଦୃଢ଼ ଭାବରେ ସ୍ୱାଧୀନ ମତ ପ୍ରକାଶ କରି ଦେଶସେବାବ୍ରତ ଉଦ୍‌ଯାପନ କରି ଯାଇଅଛନ୍ତି । ତାଙ୍କର ଏହି ପତ୍ରିକା ପରିଚାଳନ ଓ ଯନ୍ତ୍ରାଳୟ ସ୍ଥାପନରେ ଦୁଇଜଣ କୃତୀ ପୁରୁଷ ପ୍ରଧାନ ସହାୟ ଏବଂ ପୃଷ୍ଠପୋଷକ ଥିଲେ । ସ୍ୱର୍ଗତ ମହାତ୍ମା ବିଚିତ୍ରାନନ୍ଦ ଦାସ ତନ୍ମଧ୍ୟରେ ପ୍ରଥମ ଏବଂ ସ୍ୱର୍ଗୀୟ ଜଗନ୍ମୋହନ ରାୟ ଦ୍ୱିତୀୟ । ଉତ୍କଳବନ୍ଧୁ ରେଭେନ୍‌ସା ସାହେବଙ୍କର ଦକ୍ଷିଣ ହସ୍ତ ଏହି ବିଚିତ୍ରାନନ୍ଦ ଅନେକ ଦେଶହିତକର ଅନୁଷ୍ଠାନର ପ୍ରବର୍ତ୍ତକ ଥିଲେ । ଏହି କୃତିପୁରୁଷ ମାନଙ୍କ ଜୀବନବୃତ୍ତାନ୍ତ କେହି ପ୍ରକାଶ କଲେ ବର୍ତ୍ତମାନ ସମାଜର ପ୍ରଭୂତ ଉପକାର ହୁଅନ୍ତା ।

୧୮୬୬ ମସିହାର ଅଗଷ୍ଟ ମାସରୁ ‘ଉତ୍କଳ ଦୀପିକା’ର ପ୍ରଚାର ଆରମ୍ଭ ହୋଇଥିଲା । ୧୮୬୭ର ଜାନୁଆରି ମାସଠାରୁ ପୁଣି ତାହାର ଦ୍ୱିତୀୟ ବର୍ଷର ଗଣନାରମ୍ଭ ହେଲା । ସେହି ବର୍ଷଠାରୁ ପ୍ରତି ଜାନୁଆରି ପହିଲାରୁ ଏହାର ବର୍ଷାରମ୍ଭ ହୋଇ ଆସୁଅଛି । ଖ୍ରୀଷ୍ଟୀୟ ୧୮୬୭ ଅବ୍ଦରେ ପ୍ରିଣ୍ଟିଙ୍ଗ୍‌କୋମ୍ପାନୀ ଯନ୍ତ୍ରାଳୟ ପ୍ରତିଷ୍ଠିତ ହେଲାରୁ ‘ଦୀପିକା’ ସେଥିରେ ମୁଦ୍ରିତ ହେବାକୁ ଲାଗିଲା । ପ୍ରଥମେ ଏହାର ଆକାର ଚାରି ପୃଷ୍ଠା ମାତ୍ର ଥିଲା । ୧୮୮୩ ଖ୍ରୀଷ୍ଟାବ୍ଦରେ ଏହା ଦ୍ୱିଗୁଣ ଆକାର ଧାରଣ କଲା ବା ଆଠ ପୃଷ୍ଠା ହେଲା । ପୁଣି ୧୯୧୧ ମସିହାରେ ଦ୍ୱିଗୁଣ ଆୟତନବିଶିଷ୍ଟ କାଗଜର ଚାରି ପୃଷ୍ଠାରେ ତାହା ପ୍ରକାଶିତ ହେଲା । ବର୍ତ୍ତମାନ ସମ୍ପାଦକ ରାୟ ବାହାଦୂର ଶ୍ରୀଯୁକ୍ତ ସୁଦାମ ଚରଣ ନାୟକଙ୍କ କାର୍ଯ୍ୟ କାଳରେ ଗତ ୧୯୧୬ ଠାରୁ ପୁଣି ବର୍ତ୍ତମାନ ଆକାରକୁ ଆସିଅଛି-। ଦୀପିକାର ଏତିକି ମାତ୍ର ପରିଚୟ ଦେଇ ବର୍ତ୍ତମାନ ଆମ୍ଭେମାନେ ତାହାର ମୃତ ଜୀବିତ ସହଯୋଗୀମାନଙ୍କ ବିଷୟ ଜ୍ୟେଷ୍ଠାନୁକ୍ରମରେ ସଂକ୍ଷେପତଃ ପ୍ରକାଶ କରିବୁଁ ।

୨. ସମ୍ବାଦ ବାହିକା

ଉତ୍କଳଦୀପିକା ପ୍ରକାଶର ପ୍ରାୟ ଦୁଇ ବର୍ଷ ମଧ୍ୟରେ ବାଲେଶ୍ୱରରେ ‘ସଂବାଦବାହିକା’ର ଜନ୍ମ । ସ୍ୱର୍ଗତ ଫକୀରମୋହନ ସେନାପତି ଏବଂ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ପ୍ରମୁଖ କେତେଜଣ ଦେଶହିତୈଷୀ ବ୍ୟକ୍ତି ଏହାର ପ୍ରବର୍ତ୍ତକ ଏବଂ ଆଦ୍ୟ ସମ୍ପାଦକ ଥିଲେ । ସର୍ବ ପ୍ରଥମେ ଏହା ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦ ବାହିକା’ ନାମରେ ମାସିକ ପତ୍ରିକା ରୂପରେ ୧୮୬୮ ମସିହାର ଜୁଲାଇ ମାସଠାରୁ ଦେଖା ଦେଇଥିଲା । ତିନିବର୍ଷ ସେହି ଭାବରେ ଅତିବାହିତ ହେବା ଉତ୍ତାରେ ଏହା ପୁଣି ପାକ୍ଷିକ ହୋଇଥିଲା । ତତ୍ପରେ ୧୮୭୨ ମସିହାର ଜୁନ ମାସଠାରୁ ତାହା ସାପ୍ତାହିକ ପତ୍ରିକାରେ ପରିଣତ ହୋଇଅଛି । ନାନା ବିଷୟକ ସାମୟିକ ଆଲୋଚନାରେ ‘ବାହିକା’ ତେତେବେଳେ ଦୀପିକାର ଯଥାର୍ଥ ସହଯୋଗିନୀ ଥିଲା । ଉତ୍କଳର ଏହି ଦ୍ୱିତୀୟ ପତ୍ରିକାର ପୂର୍ବ ତେଜ କ୍ରମଶଃ ମ୍ଳାନି ଭଜି ଆସୁଥିଲେହେଁ ବାଲେଶ୍ୱରର ପ୍ରସିଦ୍ଧ ସାମନ୍ତବଂଶଙ୍କ ପ୍ରସାଦରୁ ଯଥାକଥଞ୍ଚିତ୍‌ ପରିଚାଳିତ ହୋଇ ଆସୁଅଛି ।

୩. ଉତ୍କଳ ହିତୈଷିଣୀ

ବାଲେଶ୍ୱରରେ ଯେତେବେଳେ ସମ୍ବାଦବାହିକାର ସୂତ୍ରପାତ, କଟକରେ ତେତେବେଳେ (୧୮୬୮ ଖ୍ରୀଷ୍ଟାବ୍ଦ) ‘ଉତ୍କଳ ହିତୈଷିଣୀ’ ନାମକ ସମ୍ବାଦପତ୍ର ତନ୍ମାମଧେୟ ଯନ୍ତ୍ରାଳୟର ସ୍ୱତ୍ତ୍ୱାଧିକାରୀ ଜମିଦାର ସ୍ୱର୍ଗୀୟ କାଳିପଦ ବନ୍ଦୋପାଧ୍ୟାୟଙ୍କ ଅଭିଭାବକତ୍ୱରେ ପ୍ରକାଶିତ ହୋଇଥିଲା । ସହଯୋଗିନୀ ଉତ୍କଳ ଦୀପିକା ସହିତ ଏ ପତ୍ରିକାର ଅହିନକୁଳ ସମ୍ବନ୍ଧ ଥିଲାପରି ଜଣା ପଡ଼ିଥିଲା । ଏହି ପତ୍ରିକାର ତୀବ୍ର ସମାଲୋଚନାରେ ପରଲୋକଗତ ମହାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ କୃତ ‘ଓଡ଼ିଶା ଇତିହାସ’ର ବିଦ୍ୟାଳୟରେ ପ୍ରଚାର ସ୍ଥଗିତ ହୋଇଥିଲା । ହିତୈଷଣୀ ଏହିରୂପେ ଅନେକଙ୍କର ବିହେଷିଣୀ ହୋଇ ଅଳ୍ପ ଦିନରେ ବିଲୀନ ହୋଇଥିଲେ ।

୪. ଉତ୍କଳ ଦର୍ପଣ

ସମ୍ବାଦବାହିକା ସାପ୍ତାହିକ ହେବାର ପ୍ରାୟ ବର୍ଷକ ପରେ (୧୮୭୩ ଖ୍ରୀଷ୍ଟାବ୍ଦରେ) ଆଉ ଖଣ୍ଡିଏ ମାସିକପତ୍ର ବାଲେଶ୍ୱରର ଉତ୍କଳ ପ୍ରେସରୁ ପ୍ରକାଶିତ ହୋଇଥିଲା । ସାହିତ୍ୟିକ ଗରିମାରେ ଉକ୍ତ ପତ୍ରିକା ତେତେବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତାହାର ନାମ ‘ଉତ୍କଳ ଦର୍ପଣ’ । ପରଲୋକଗତ ରାଧାନାଥ, ମଧୁସୂଦନ, ଚତୁର୍ଭୁଜ ପ୍ରମୁଖ କେତେଜଣ ଭାଷାଭକ୍ତ ମନୀଷୀ ଏଥିର ପ୍ରଧାନ ଉଦ୍ୟେକ୍ତା ଏବଂ କୁମାର ବୈକୁଣ୍ଠନାଥ ଦେ (ସ୍ୱର୍ଗୀୟ ମହାରାଜା ବାହାଦୂର) ପୃଷ୍ଠପୋଷକ ଥିଲେ । ଆଧୁନିକ ସାହିତ୍ୟର ଯୁଗପ୍ରବର୍ତ୍ତକ କବିବର ରାଧାନାଥଙ୍କର ପ୍ରାଥମିକ ଲେଖାବଳୀ ଏହି ଉତ୍କଳ ଦର୍ପଣରେ ପ୍ରତିଫଳିତ ହୋଇଥିଲା । ଯୁବକ ପାଠକ ମାନଙ୍କର କୌତୂହଳ ନିବାରଣ ପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କବିବର ରାଧାନାଥଙ୍କ ମେଘଦୂତ, ପବନ, ଇଟାଲୀୟ ଯୁବା, ବିବେକୀ, କାଳିଦାସ ପ୍ରଭୃତି ଏବଂ ଭକ୍ତକବି ମଧୁସୂଦନଙ୍କର ଶ୍ମଶାନ, ନିଶୀଥଚିନ୍ତା, ନିର୍ବାସିତର ବିଳାପ, ଅଯୋଧ୍ୟା ପ୍ରତ୍ୟାଗମନ, ବୁଦ୍ଧଦେବ, ସୂର୍ଯ୍ୟ, ଉଲ୍‌କାପିଣ୍ଡ, ଶାସନ ପ୍ରଣାଳୀ, ଚନ୍ଦ୍ର ଓ ତାରା, ପିତୃଭକ୍ତି, ପ୍ରଣୟର ଅଦ୍ଭୁତ ପରିଣାମ ପ୍ରଭୃତି କାବ୍ୟ ଓ ପ୍ରବନ୍ଧମାନ ସେଥିରେ ପ୍ରକାଶିତ ହୋଇଥିଲା । ଏହା କହିଲେ ସମ୍ଭବତଃ ଅତ୍ୟୁକ୍ତି ହେବ ନାହିଁ ଯେ, ‘ଉତ୍କଳ ଦର୍ପଣ’ ହିଁ ଆଧୁନିକ ଉତ୍କଳ ସାହିତ୍ୟର ଆଦ୍ୟ ଲେଖକମଣ୍ଡଳୀ ପ୍ରସ୍ତୁତ କରିଅଛି । ପ୍ରାୟ ଚାରି ବର୍ଷ ଉତ୍ତାରେ ବା ୧୮୭୭ ଖ୍ରୀଷ୍ଟାବ୍ଦରେ ଉତ୍କଳ ଦର୍ପଣ ପାକ୍ଷିକ ହୋଇ ଦୁଇବର୍ଷ ପରେ ପୁଣି ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା । ଜ୍ଞାନ ଚର୍ଚ୍ଚାରେ ଉତ୍କଳଦର୍ପଣ ପତ୍ରିକା ସମାଜରେ ଅଗ୍ରାସନ ଲାଭ କରିଥିଲେହେଁ ପ୍ରଧାନ ପରିଚାଳକଗଣଙ୍କ ସ୍ଥାନାନ୍ତର ଗମନରେ ଏବଂ ରାଜପୁରୁଷଙ୍କ କୋପ ଦୃଷ୍ଟିରେ ତ୍ରୟୋଦଶ ବର୍ଷରେ ବିଲୟ ପ୍ରାପ୍ତ ହୋଇଥିଲା ।

୫. ଉତ୍କଳ ପୁତ୍ର

ବାଲେଶ୍ୱରରେ ଉତ୍କଳଦର୍ପଣ ଦେଖା ଦେବାର ଅଳ୍ପ ଦିନ ପରେ କଟକରେ ‘ଉତ୍କଳପୁତ୍ର’ର ଆବିର୍ଭାବ । ଆଚାର୍ଯ୍ୟ ପ୍ୟାରୀମୋହନ ଏ ମାସିକ ପତ୍ରର ପ୍ରାଣପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ । ପ୍ରଥମେ ଏହା ହସ୍ତଲିଖିତ ପତ୍ରିକା ରୂପରେ ପ୍ରଚାରିତ ହୋଇ ପଶ୍ଚାତ୍‌ମୁଦ୍ରିତ ଆକାରରେ କ୍ରମେ ସାପ୍ତାହିକ ପତ୍ରିକାରେ ପରିଣତ ହୋଇଥିଲା । ସ୍ୱାଧୀନଚେତା ସ୍ୱର୍ଗୀୟ ପଣ୍ଡିତ ଗୋବିନ୍ଦ ରଥ ଏ ପତ୍ରିକାର ଜଣେ ଲେଖକ ଥିଲେ । ‘ଉତ୍କଳପୁତ୍ରର’ ପ୍ରତ୍ୟେକ ସମାଲୋଚନା ଅତ୍ୟନ୍ତ ଓଜସ୍ୱିନୀ ଥିଲା । ମହାତ୍ମା ପ୍ୟାରୀମୋହନଙ୍କ ତୁଲ୍ୟ ସ୍ପଷ୍ଟବାଦୀ ନିର୍ଭୀକ ସମାଲୋଚକ ତେତେବେଳେ ଉତ୍କଳରେ କେହି ନ ଥିଲେ ବୋଲି କହିଲେ ଚଳେ । ଅତ୍ୟଧିକ ଓଜସ୍ୱିତା ଯୋଗୁଁ ଅଥବା ପ୍ରଗଲ୍‌ଭତାବଶରୁ ‘ଉତ୍କଳ ପୁତ୍ର’ ତେତେବେଳେ ସମସ୍ତଙ୍କ କୋପଦୃଷ୍ଟିରେ ପଡ଼ି ଉତ୍କଳର ଦୁର୍ବଳ ସମାଜରେ ଅଧିକ କାଳ ସ୍ଥାୟୀ ହୋଇପାରି ନ ଥିଲା । ଏହି ପତ୍ରିକାର ସମାଲୋଚନାରେ ସହଯୋଗୀ ‘ଉତ୍କଳଦର୍ପଣ’ କହିଥିଲେ, ‘‘ସମ୍ପାଦକଙ୍କର ଯେ ନୈତିକ ସାହସ ଓ ଦେଶହିତୈଷିତା ଯଥେଷ୍ଟ, ତାହ ତାଙ୍କର ଲେଖା ହିଁ ପରିଚୟ ଦେଉଅଛି । X X ମାତ୍ର ପତ୍ରିକାର ଭାଷା କୌଣସି କୌଣସି ସ୍ଥଳରେ ଅତ୍ୟନ୍ତ ଉଦ୍ଧତ । ଏପରି ଉଦ୍ଧତ ଭାଷା ସାଧାରଣର ଆନୁକୁଲ୍ୟଲିପ୍‌ସୁ ନବୀନ ସମ୍ପାଦକଙ୍କୁ ଶୋଭନୀୟ ନୁହେ ।’’

୬. ବିଦେଶୀ

ଉତ୍କଳପୁତ୍ର ବ୍ୟତୀତ ‘ବିଦେଶୀ’ ନାମକ ଆଉ ଖଣ୍ଡିଏ ମାସିକ ପତ୍ର କଟକ ପ୍ରିଣ୍ଟିଙ୍ଗ୍‌କୋମ୍ପାନୀ ଯନ୍ତ୍ରାଳୟରେ ଉକ୍ତ ବର୍ଷରେ ପ୍ରକାଶିତ ହୋଇଥିଲା । ସ୍ୱର୍ଗୀୟ ଦୀନନାଥ ବନ୍ଦୋପାଧ୍ୟାୟ ଏ ପତ୍ରିକାର ସମ୍ପାଦକ ଥିଲେ । ଦୀନନାଥ କିପରି ତେଜସ୍ୱୀ ଓ ନିର୍ଭୀକ ପୁରୁଷ ଥିଲେ, ତାହା ଏ ନଗରର ପ୍ରବୀଣ ବ୍ୟକ୍ତିଙ୍କ ମଧ୍ୟରୁ ଅନେକଙ୍କୁ ଉତ୍ତମ ଜଣାଥିବ । ଗଭର୍ଣ୍ଣମେଣ୍ଟଙ୍କଠାରୁ ଆପଣାର ପ୍ରିୟତମ ପୁତ୍ର ପର୍ଯ୍ୟନ୍ତ କେହି ତାହାଙ୍କ ତୀବ୍ର ସମାଲୋଚନା ଶସ୍ତ୍ରପ୍ରହାରରୁ ଛାଡ଼ ପାଇ ନ ଥିଲେ ।

ଉତ୍କଳଦର୍ପଣର ସମକାଳରେ ବାଲେଶ୍ୱରରେ ଆଉ ଦୁଇଖଣ୍ଡି ମାସିକପତ୍ର ପ୍ରକାଶିତ ହୋଇଥିଲା ।

୭. ଶିକ୍ଷକ

୮. ଧର୍ମବୋଧିନୀ

ଭକ୍ତକବି ମଧୁସୂଦନହିଁ ଏହି ଦୁଇ ପତ୍ରିକାର ଜନ୍ମଦାତା ଏବଂ ପ୍ରଧାନ ପୋଷକ ଥିଲେ । ତନ୍ମଧ୍ୟରୁ ପ୍ରଥମ ଖଣ୍ଡିକର ନାମ ‘ଶିକ୍ଷକ’; ଏହା ପାଠଶାଳାର ଶିକ୍ଷକମାନଙ୍କ ଶିକ୍ଷାଦାନରେ ପରମ ସହାୟ ଥିଲା । ଦ୍ୱିତୀୟ ପତ୍ରିକା ଖଣ୍ଡିକ ‘ଧର୍ମବୋଧିନୀ’ ନାମରେ ପରିଚିତ ହୋଇଥିଲା; ଏଥିରେ ବ୍ରାହ୍ମଧର୍ମ ସମ୍ପୃକ୍ତ ଧର୍ମନୀତି ସମ୍ବଳିତ ପ୍ରବନ୍ଧମାନ ସ୍ଥାନ ପାଉଥିଲା । ଅତି ଶୈଶବରେ ଏ ଉଭୟେ ବିଲୟ ଭଜିଥିଲେ ।

 

୯. ସ୍ୱଦେଶୀ

 

ଖ୍ରୀଷ୍ଟୀୟ ୧୮୭୬ ଅବ୍ଦରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ ସ୍ଥାନୀୟ ଖ୍ରୀଷ୍ଟୀୟାନମଣ୍ଡଳୀଙ୍କ ଉଦ୍‌ଯୋଗରେ ‘ସ୍ୱଦେଶୀ’ ନାମକ ଇଂରାଜି, ତେଲୁଗୁ ଏବଂ ଓଡ଼ିଆ ଭାଷାର ଖଣ୍ଡିଏ ତ୍ରିଭାଷୀ ସଂମ୍ବାଦପତ୍ର ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ପୃଷ୍ଠରେ ଏହି ବଚନଟି ଲିଖିତ ଥିଲା–‘‘ଯେ କେହି ଆପଣା ନିଜ ଦେଶକୁ ପ୍ରେମ ନ କରଇ, ସେ ତହିଁର ଏକ ନିବାସୀ ହେବା ନିମନ୍ତେ ଅଯୋଗ୍ୟ ଅଟଇ ।’’

 

 

୧୦. ଉତ୍କଳ ମଧୁପ

୧୮୭୮ ମସିହାରେ କଟକ ପ୍ରିଣ୍ଟିଙ୍ଗ୍‌କୋମ୍ପାନୀ ଯନ୍ତ୍ରାଳୟରୁ ‘ଉତ୍କଳ ମଧୁପ’ ନାମକ ଖଣ୍ଡିଏ ମାସିକପତ୍ର ପ୍ରକାଶିତ ହୋଇଥିଲା । ଏଥିର ସମ୍ପାଦକ ଥିଲେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଟ୍ଟନାୟକ; କିନ୍ତୁ ସାହିତ୍ୟସମାଜର ବର୍ତ୍ତମାନ ସଭାପତି ଶ୍ରୀଯୁକ୍ତ ରାମଶଙ୍କର ରାୟ ହିଁ ସେହି ପତ୍ରିକାର ପ୍ରବର୍ତ୍ତକ ଏବଂ ଯଥାର୍ଥ ପରିଚାଳକ ଥିଲେ । ତତ୍କୃତ ‘ସୌଦାମିନୀ’ ଉପନ୍ୟାସ ଏଥିରେ କ୍ରମଶଃ ପ୍ରକାଶିତ ହୋଇଥିଲା । ପତ୍ରିକାର କପାଳରେ ନାମକରଣ ସୂଚକ ଏହି ଶ୍ଳୋକଟି ଲିଖିତ ଥିଲା–‘ଖ୍ୟାତୋତ୍କଳୀୟକବି କାବ୍ୟପ୍ରସୃନସଂଘାତ୍, ପିତ୍ୱା ମଧୁନି ମଧୁରାଣି ପ୍ରଫୁଲ୍ଲ ଚିତ୍ତଃ । ସଂଖ୍ୟାବତାଂ ସୁରସଭାବବିଦାଂ ସମାଜେ, ବମ୍ଭ୍ରମ୍ୟତେ ହି ମଧୁପୋ ନବଜାତପକ୍ଷଃ ।’’ ପ୍ରାୟ ଦୁଇ ବର୍ଷ ପରେ ମଧୁପ ଲୋପ ପାଇଥିଲା ।

୧୧. ଓଡ଼ିଆ ଗେଜେଟ୍

୧୮୭୯ ମସିହାରେ କଟକରେ ଗଭର୍ଣ୍ଣମେଣ୍ଟଙ୍କ ଉତ୍କଳାନୁବାଦକଙ୍କ କାର୍ଯ୍ୟାଳୟରୁ ରାଜକୀୟବାର୍ତ୍ତା ସମ୍ବଳିତ ଓଡ଼ିଆ ଗେଜେଟ ପ୍ରଚାରିତ ହୋଇଥିଲା ; କିନ୍ତୁ ଏହା ପ୍ରଥମ ପ୍ରକାଶ ନୁହେ ବୋଲି ପ୍ରମାଣ ମିଳେ । ୧୮୫୧ ଖ୍ରୀଷ୍ଟାବ୍ଦରେ ଶ୍ରୀଯୁକ୍ତ କିଲବିନ୍‍ ସାହେବଙ୍କ ଅମଳରେ ଏହା ପ୍ରକାଶିତ ହୋଇଥିଲା । ଅଳ୍ପ ବର୍ଷ ପୂର୍ବରେ ଏ ପତ୍ରିକାର ପ୍ରଚାର ସ୍ଥଗିତ ହୋଇଅଛି ।

୧୨. ମୟୂରଭଞ୍ଜ

ଏହି ଦୁଇ ବର୍ଷରେ ମଧ୍ୟ ବାରିପଦାରୁ ମୟୂରଭଞ୍ଜ ନାମକ ଇଂରାଜୀ-ଓଡ଼ିଆରେ ଗୋଟିଏ ମୟୁରାଙ୍କିତ ଦ୍ୱିଭାଷୀ ପତ୍ରିକା ପ୍ରକାଶିତ ହୋଇଥିଲା । ତତ୍ପରତାବର୍ଷରେ ମୟୂରଭଞ୍ଜର ଦାନଶୀଳ ମହାରାଜା (ଯାହାଙ୍କର ବଦାନ୍ୟତା ନବପ୍ରତିଷ୍ଠିତ ରେଭେନ୍ସା କଲେଜ ଗୃହନିର୍ମାଣ ସମୟରେ ଦେଖା ଯାଇଅଛି) କୃଷ୍ଣଚନ୍ଦ୍ରଭଞ୍ଜଙ୍କ ମୃତ୍ୟୁ ଘଟିବାରୁ ଏହି ପତ୍ରିକାର ଅସ୍ତିତ୍ୱ ବିଲୁପ୍ତ ହୋଇଥିଲା ।

୧୩. କୋହିନୂର

 

ଏହି ଅଚିରାପ୍ରଭା ପତ୍ରିକାର ପଛେ ପଛେ କଟକରେ ପୁଣି କୋହିନୂର, କିଛି ଦିନକୁ ତାହାର ଔଜ୍ଜ୍ୱଲ୍ୟ ଦେଖାଇଲା । ୧୮୮୦ ଖ୍ରୀଷ୍ଟାବ୍ଦର ବୈଶାଖ ମାସଠାରୁ ତାହାର ଜନ୍ମସୂଚନା ହୋଇଥିଲା ।

 

୧୪. ପୁରୁଷୋତ୍ତମ ଦୀପିକା

 

ଠିକ୍ ଏହି ସମୟରେ ପୁରୀରେ ‘ପୁରୁଷୋତ୍ତମ ଦୀପିକାର’ ଆବିର୍ଭାବ । ଏହି ଦୀପିକା କେତେ ଦିନକୁ ଯେ ଦୀପ୍ତି ଦେଖାଇଥିଲା, ତାହା ଆମ୍ଭମାନଙ୍କ ଜ୍ଞାନର ଅଗୋଚର ।

 

୧୫. ପୁରୁଷୋତ୍ତମ ପତ୍ରିକା

 

କିନ୍ତୁ ଉତ୍କଳ ଦୀପିକା ସାହାଯ୍ୟରେ ଜଣାଯାଏ ଯେ, ୧୮୮୨ ଖ୍ରୀଷ୍ଟାବ୍ଦର ବୈଶାଖମାସଠାରୁ ପୁରୀ ପ୍ରିଣ୍ଟିଙ୍ଗ୍‌କୋମ୍ପାନୀ କର୍ତ୍ତୃକ ‘ପୁରୁଷୋତ୍ତମ ପତ୍ରିକା’ ନାମ୍ନୀଖଣ୍ଡିଏ ସାପ୍ତାହିକ ପତ୍ରିକା ନୂତନ ପ୍ରକାଶିତ ହୋଇଥିଲା ।

 

 

୧୬. ପ୍ରଜାବନ୍ଧୁ

 

ସେହି ବର୍ଷରେ ମଧ୍ୟ ବାଲେଶ୍ୱରରୁ ‘ପ୍ରଜାବନ୍ଧୁ’ ନାମକ ଖଣ୍ଡିଏ ସଂବାଦପତ୍ର ପ୍ରଜାସାଧାରଣଙ୍କର ହିତକାମନାରେ ପ୍ରଚାରିତ ହୋଇଥିଲା । ସୁଖର ବିଷୟ ଯେ, ଏହି ପତ୍ରିକା ଶିଶୁଗଣ୍ଡ ଅତିକ୍ରମ କରି ପାରିଥିଲା । ୧୮୮୬ ମସିହାର ‘ଦୀପିକା’ରେ ପ୍ରଜାବନ୍ଧୁର ବହୁଳ ପ୍ରଚାରପାଇଁ ଏହା ବିଜ୍ଞାପିତ ହୋଇଥିଲା ଯେ–‘ଅଗଷ୍ଟ ୧୫ ଦିନ ମଧ୍ୟରେ ଯେଉଁମାନେ ଟ ୧ ଦେବେ, ସେମାନେ ଛ ମାସ ଯାଏ ଖଣ୍ଡେ ଖଣ୍ଡେ ପ୍ରଜାବନ୍ଧୁ ଏବଂ ପ୍ରସ୍ତାବିତ ଉପହାରରୁ ଗୋଟିଏ ପାଇବେ ।’ ଏହି ସାପ୍ତାହିକ ସଂବାଦପତ୍ର ଫରାସୀ ଅଧିକାରରେ ଲାଳିତ ପାଳିତ ଓ ଫରାସୀ ସାଧାରଣତନ୍ତ୍ରର ସ୍ନିଗ୍ଧଛାୟାଶ୍ରିତ, ଅତଏବ, ସମସ୍ତଙ୍କର ଶ୍ରଦ୍ଧାର ପାତ୍ର । ଏହି ପ୍ରଜାବନ୍ଧୁରେ ବଙ୍ଗଳା ଭାଷାରେ ପ୍ରବନ୍ଧାଦି ମଧ୍ୟ ପ୍ରକାଶିତ ହେଉଥିଲା ।

 

୧୭. ସେବକ

 

ପୂର୍ବୋକ୍ତ ୧୮୮୩ ମସିହାରେ କଟକ ମିଶନ ଯନ୍ତ୍ରାଳୟରୁ ସେବକ ଓ ସଂସ୍କାରକ ନାମରେ ଯଥାକ୍ରମେ ଦୁଇ ଖଣ୍ଡି ମାସିକ ଓ ସାପ୍ତାହିକ ପତ୍ରିକା ପ୍ରକାଶିତ ହୋଇଥିଲା । ଉଭୟ ପତ୍ରିକା ତଦାନୀନ୍ତନ ‘ସେବକସଭା’ର ତତ୍ୱାବଧାନରେ ପରିଚାଳିତ ହେଉଥିଲା । ବାବୁ ଚତୁର୍ଭୁଜ ପଟ୍ଟନାୟକ ସେହି ବର୍ଷ ସରକାରଙ୍କ ଉତ୍କଳାନୁବାଦକ ପଦରେ ନୂତନ ନିଯୁକ୍ତି ହୋଇ କଟକ ଆସିଥିବାରୁ ତାଙ୍କରି ଯତ୍ନରେ ଏହି ଦୁଇ ପତ୍ରିକାର ସୃଷ୍ଟି ହୋଇଥିଲା । ‘ସେବକ’ ଖଣ୍ଡି ସେବକସଭାର ସମ୍ପାଦକ ଶ୍ରୀ ଭାବଗ୍ରାହୀ ଦାସଙ୍କଦ୍ୱାରା ସମ୍ପାଦିତ ହେଉଥିଲା ।

 

 

୧୮. ସଂସ୍କାରକ

 

ଚତୁର୍ଭୁଜ ବାବୁ ହିଁ ରାଜନୀତି, ସାହିତ୍ୟ, ବିଜ୍ଞାନ ଓ ଶିଳ୍ପବିଷୟକ ସଂବାଦପତ୍ର ‘ସଂସ୍କାରକ’ର ପ୍ରଥମ ସମ୍ପାଦକ ଥିଲେ । ତୃତୀୟବର୍ଷର ସେବକ ସ୍ୱାତନ୍ତ୍ର୍ୟ ହରାଇ ସଂସ୍କାରକ ସହିତ ନାମତଃ ମିଶ୍ରିତ ହୋଇଥିଲା । ଏହି ‘ସଂସ୍କାରକ ଓ ସେବକ’ ଶୀର୍ଷକ ସଂବାଦପତ୍ର ସାହିତ୍ୟ-ରସିକ ବାମଣ୍ଡାଧିପତି ସର୍‌ବାସୁଦେବ ସୁଢ଼ଳ ଦେବଙ୍କ ଆନୁକୂଲ୍ୟରେ ପ୍ରକାଶିତ ହେଉଥିଲା । ଏହି ପତ୍ରିକାରେ ତେତେବେଳେ ଶ୍ରେଷ୍ଠ ଲେଖକମାନଙ୍କର ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲିଖିତ ନାନା ପ୍ରବନ୍ଧ ଓ ସମାଲୋଚନାମାନ ସ୍ଥାନ ପାଇଥିଲା । ପରଲୋକଗତ ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ବ୍ୟତୀତ ଏଥିରେ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା, ବିଶ୍ୱନାଥ କର, ନୀଳମଣିବିଦ୍ୟାରତ୍ନ ପ୍ରଭୃତିଲେଖକଙ୍କର ଅନେକ କବିତା, ପ୍ରବନ୍ଧ ଓ ସମାଲୋଚନା ପ୍ରକାଶିତ ହୋଇଥିଲା । ‘ସଂସ୍କାରକ’ ତାହାର ପ୍ରାୟ ପାଞ୍ଚ ବର୍ଷ ସ୍ଥିତିକାଳ ମଧ୍ୟରେ ସାହିତ୍ୟିକ ଏବଂ ବିବିଧବିଷୟକ ପ୍ରସଙ୍ଗର ସମାଲୋଚନାରେ ତଦାନୀନ୍ତନ ସମାଜରେ ଯଥେଷ୍ଟ ସଂସ୍କାର ବିଧାନ କରି ପାରିଥିଲା ।

 

୧୯. ଧୂମକେତୁ

 

କଟକରେ ‘ସଂସ୍କାରକ’କୁ ସମାଲୋଚନା କ୍ଷେତ୍ରରେ ଅବତୀର୍ଣ୍ଣ ହେବାର ଦେଖି ବାଲେଶ୍ୱରରେ ‘ଧୂମକେତୁ’ ଦେଖାଗଲା । ଏହି ପତ୍ରିକାଖଣ୍ଡିକ ଶ୍ରୀଯୁକ୍ତ ଦ୍ୱାରକାନାଥ ଦାସ ଓ ଶ୍ରୀଯୁକ୍ତ ଶିବ ନାରାୟଣ ନାୟକ ପ୍ରମୁଖ କେତେଜଣ ଉତ୍ସାହୀ ବ୍ୟକ୍ତିଙ୍କଦ୍ୱାରା ପରିଚାଳିତ ହୋଇଥିଲା । କବିବର ରାଧାନାଥଙ୍କ କନୀୟାନ୍‌ ଭ୍ରାତା ବାବୁ ସୀତାନାଥ ରାୟ ଏ ପତ୍ରିକାର ଜଣେ ମୁଖ୍ୟଲେଖକ ଥିଲେ । ପତ୍ରିକାର ଉପକ୍ରମରେ ଧୂମକେତୁର ଉକ୍ତି ଏହି ଥିଲା ଯେ, ‘‘କେହି କେହି ମନରେ କରନ୍ତି, ଧୂମକେତୁର ଉଦୟ ହେଲେ ନାନାପ୍ରକାର ଅମଙ୍ଗଳ ହୁଏ । ଏହି କାରଣରୁ ଅନେକ ଧୂମକେତୁକୁ ଦେଖିଲାକ୍ଷଣି ଭୀତ ଓ ଅସନ୍ତୁଷ୍ଟ ହୁଅନ୍ତି; ମାତ୍ର ଏହା ସମ୍ପୂର୍ଣ୍ଣ ଭ୍ରମ ଅଟେ । କୌଣସି ସ୍ଥାନରେ ଅମଙ୍ଗଳ ଘଟିବାର ପୂର୍ବରୁ ଧୂମକେତୁ ସମସ୍ତଙ୍କୁ ସାବଧାନ କରିଦିଏ । ଧୂମକେତୁ ଉପକାର ବ୍ୟତୀତ ଅନୁପକାର କରେ ନାହିଁ । ଏହା ଅମଙ୍ଗଳଦୋଷଛିଦ୍ରାଦି ପ୍ରକାଶ କରିଦିଏ ବୋଲି ଧୂମକେତୁ ପ୍ରତି ସମସ୍ତେ ବିରାଗ ପ୍ରଦର୍ଶନ କରନ୍ତି–ଇତ୍ୟାଦି ।’’ ଧୂମକେତୁ ବିରାଗଭାଜନ ହେଉ ବା ଅନୁରାଗଭାଜନ ହେଉ, ଅଳ୍ପଦିନ ପରେ ଆଉ ଦର୍ଶନ ନ ଦେଇ ନିଜ ନାମ ସାର୍ଥକ କରିଅଛି ।

 

୨୦. ତାରକା

 

ଏହି ୧୮୮୪ ମସିହାରେ ମଧ୍ୟ ବାଲେଶ୍ୱରରୁ ଖ୍ରୀଷ୍ଟୀୟାନ୍ମଣ୍ଡଳୀ ପରିଚାଳିତ ‘ତାରକା’ ନାମକ ମାସିକପତ୍ରିକା ପ୍ରକାଶିତ ହୋଇଥିଲା ।

 

୨୧. ପ୍ରଦୀପ

ଧୂମକେତୁ ପ୍ରକାଶର ପରବର୍ତ୍ତୀ ବର୍ଷରେ ଅଥବା ଖ୍ରୀଷ୍ଟାବ୍ଦ ୧୮୮୫ ରେ କଟକରେ ‘ପ୍ରଦୀପ’ ନାମକ ଖଣ୍ଡିଏ ମାସିକପତ୍ର ପ୍ରକାଶିତ ହେଲା । ନିମ୍ନଲିଖିତ କତିପୟ କୃତବିଦ୍ୟ ବ୍ୟକ୍ତି ତହିଁର ପ୍ରଧାନ ଲେଖକ ଓ ଉଦ୍‌ଯୋକ୍ତା ଥିଲେ । ସ୍ୱର୍ଗୀୟ ସାଧୁଚରଣ ରାୟ, ଶ୍ରୀଯୁକ୍ତ ବୈକୁଣ୍ଠନାଥ ଦତ୍ତ, ଶରତଚନ୍ଦ୍ର ମୁଖୋପାଧ୍ୟାୟ, ମୃଗାଙ୍କଧର ରାୟ ଚୌଧୁରୀ, ଭୂପତିନାଥ ବସୁ । ରାୟ ଓ ରାଓ କବିଙ୍କର ଏଥି ପ୍ରତି ଆନ୍ତରିକ ସହାନୁଭୂତି ଥିଲା । ରାଓ କବିଙ୍କ ‘ଆକାଶ ପ୍ରତି’ କବିତାଟି ଏହି ପ୍ରଦୀପରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଅଳ୍ପ କାଳଉତ୍ତାରେ ଏହି ପ୍ରଦୀପ ମଧ୍ୟ ନିର୍ବାଣପ୍ରାପ୍ତ ହୋଇଥିଲା ।

୨୨. ଶିକ୍ଷାବନ୍ଧୁ

ପଛେ ପଛେ (୧୮୮୬ ମସିହାରେ) ଜ୍ଞାନାଞ୍ଜନଶଳାକା ଘେନି ଶିକ୍ଷାବନ୍ଧୁ ଅବତୀର୍ଣ୍ଣ ହେଲା । ଆଜୀବନ ଶିକ୍ଷକତା-ବ୍ୟବସାୟୀ ମଧୁସୂଦନ ରାଓ ହିଁ ଏହି ମାସିକ ପତ୍ରର ପ୍ରବର୍ତ୍ତକ ଥିଲେ । କଟକ ଜିଲା ସ୍କୁଲ ସମୂହର ତଦାନୀନ୍ତନ ଡେପୁଟୀ ଇନ୍ସପେକ୍ଟର ମଧୁ ବାବୁ ବିଦ୍ୟାଳୟ ଶିକ୍ଷକମାନଙ୍କୁ ଅଧ୍ୟାପନାରେ ସାହାଯ୍ୟ କରିବା ନିମନ୍ତେ ଏଭଳି ପତ୍ରିକାର ପ୍ରଚାର ଏକାନ୍ତ ବାଞ୍ଛନୀୟ ମନେ କରିଥିଲେ । ତାଙ୍କ ବ୍ୟତୀତ ସ୍ୱର୍ଗୀୟ ସାଧୁଚରଣ ରାୟ, ଶ୍ରୀଯୁକ୍ତ ବିଶ୍ୱନାଥ କର, ବିଜୟଚନ୍ଦ୍ର ମଜୁମଦାର, ଶ୍ୟାମସୁନ୍ଦର ନନ୍ଦ ପ୍ରଭୃତି ସ୍କୁଲ ଶିକ୍ଷକମାନେ ଏହି ପତ୍ରିକାର କ୍ରମାନ୍ୱୟୀ ଲେଖକ ଥିଲେ । ଶଂସିତ ବର୍ଷରେ ପାଠ୍ୟପୁସ୍ତକ ଆନ୍ଦୋଳନ ଓଡ଼ିଶାର ଶିକ୍ଷାବିଭାଗରେ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟନା । ପ୍ରଚଳିତ ପାଠ୍ୟ ପୁସ୍ତକାବଳୀ ବିପକ୍ଷରେ ‘ଦୀପିକା’ରେ ବହୁ କାଳ ଯାବତ୍‍ ଯେଉଁ ସମାଲୋଚନା ପ୍ରକାଶିତ ହେଉଥିଲା, ସଂସ୍କାରକ ଓ ଶିକ୍ଷାବନ୍ଧୁରେ ସେ ସମସ୍ତର ସମର୍ଥ ପ୍ରତିବାଦ ହେଉଥିଲା ।

୨୩. ନବ ସଂବାଦ

କିଛି କାଳ ଉତ୍ତାରେ ‘ଶିକ୍ଷାବନ୍ଧୁ’ର ପ୍ରଚାରସ୍ଥଗିତ ହୋଇ ତାହାସ୍ଥଳରେ ପୂର୍ବୋକ୍ତ ମହାତ୍ମାଙ୍କ ଯତ୍ନ ଏବଂ ପ୍ରବର୍ତ୍ତନାରେ ‘ନବସଂବାଦ’ ନାମକ ଖଣ୍ଡିଏ ନୂତନ ସଂବାଦପତ୍ର କଟକ ଭିକ୍ଟୋରିଆ ପ୍ରେସରୁ ପ୍ରକାଶିତ ହୋଇଥିଲା । ସ୍ୱର୍ଗୀୟ ସାଧୁଚରଣ ରାୟ ଏଥିରେ ସମ୍ପାଦକ ଥିଲେ-। ଏ ପତ୍ରିକାରେ ବିଶେଷତଃ ବ୍ରାହ୍ମଧର୍ମବିଷୟକ ପ୍ରବନ୍ଧହିଁ ସ୍ଥାନ ପାଉଥିଲା । ମଧୁବାବୁ, ସାଧୁବାବୁ, ବିଜୟ ବାବୁ ଏବଂ ବିଶ୍ୱନାଥ ବାବୁ ଏ ପତ୍ରିକାର ସ୍ଥାୟୀ ଲେଖକଥିଲେ । ପତ୍ରିକାର ଉପକ୍ରମରେ ‘ଶୁଣ ନରେ ନବସଂବାଦ ବାରେ ଡେରି ଶ୍ରବଣ । ନବଯୁଗ ବିଭୁ ବିଧାନେ ଆସୁଅଛି ବହନ’ । ଏହି ଉଦ୍‌ବୋଧନମୂଳକ ରାଓ କବିଙ୍କ କବିତାଟି ପ୍ରକାଶିତ ହୋଇଥିଲା । କଟକର ଶିକ୍ଷାବନ୍ଧୁ ଓ ନବସଂବାଦକୁ ସେହି ମଧୁସୂଦନ ପ୍ରବର୍ତ୍ତିତ ବାଲେଶ୍ୱରର ‘ଶିକ୍ଷକ ଓ ଧର୍ମବୋଧିନୀ’ର ପରବର୍ତ୍ତୀ ସଂସ୍କରଣ କହିଲେ କିଛି ଅସଙ୍ଗତ ହେବ ନାହିଁ । ସେ ଯାହାହେଉ ‘ନବସଂବାଦ’ ଆଉ ଅଧିକ କାଳ ସ୍ୱାତନ୍ତ୍ର୍ୟ ରକ୍ଷା କରି ପାରି ନ ଥିଲା ।

୨୪. ଓଡ଼ିଆ

୧୮୮୭ ମସିହାରେ ଅକ୍ଟୋବର ମାସରେ ବାଲେଶ୍ୱରର ଦେଙ୍କ ଉତ୍କଳ ପ୍ରେସରୁ ‘ଓଡ଼ିଆ’ ନାମକ ସଂବାଦପତ୍ର ପ୍ରକାଶିତ ହୋଇଥିଲା । ବାଲେଶ୍ୱରର ସ୍ୱର୍ଗୀୟ ମହାରାଜା ବାହାଦୂର ହିଁ ଏ ପତ୍ରିକା ପ୍ରଚାରକ, ଉଦ୍‌ଯୋକ୍ତା ଏବଂ ପ୍ରାଣପରିପୋଷକ ଥିଲେ । ତେତେବେଳେ ଏ ପତ୍ରିକା ସାଧାରଣରେ ‘ଜଗନ୍ନାଥପତ୍ରିକା’ ବୋଲି ପରିଚିତ ଥିଲା । ଜାହାଜରେ ଆସୁଥିବା ଜଗନ୍ନାଥ ଦର୍ଶନାର୍ଥ ଯାତ୍ରୀମାନେ ଚାନ୍ଦବାଲିଠାରେ ଆଶ୍ରୟ ନ ପାଇ ଅତ୍ୟନ୍ତ କଷ୍ଟ ଓ ଅସୁବିଧା ଭୋଗ କରୁଥିଲେ । ସେହିମାନଙ୍କ କଷ୍ଟ ନିବାରଣ ଲାଗି ଏହି ପତ୍ରିକାର ସୃଷ୍ଟି ହୋଇଥିଲା । ପତ୍ରିକା ଲଲାଟରେ ସେତେବେଳେ ଏହି ଉଦ୍ଦେଶ୍ୟ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ମୁଦ୍ରିତ ହୋଇଥିଲା–‘‘Devoted for the welfare of pilgrims visiting Jagannath via Chandbaly.’’

ବର୍ଷକ ପରେ କଟକରେ ‘ନବ ସମ୍ବାଦ’ ଏହା ସହିତ ମିଶିଲା ଏବଂ ସେହି ବର୍ଷଠାରୁ ଏହା ଓଡ଼ିଆ ଓ ନବସଂବାଦ’ ନାମ ଧାରଣ କରି ବାଲେଶ୍ୱର ରାଜ ବଂଶ ସାହାଯ୍ୟରେ ପରିଚାଳିତ ହୋଇ ଆସୁଅଛି । ଏ ସମ୍ବନ୍ଧରେ ‘ଦୀପିକା’ ତେତେବେଳେ ଯାହା ଲେଖି ଥିଲେ, ତାହା ଏଠାରେ ପ୍ରକାଶ କଲେ କଥାଟା ଆହୁରି ସ୍ପଷ୍ଟ ହେବ ।

‘‘ଜଗନ୍ନାଥଯାତ୍ରୀଙ୍କ କଷ୍ଟ ନିବାରଣ ନିମନ୍ତେ ଶ୍ରୀଯୁକ୍ତ ଟ୍ୟୁଟ୍‌ ସାହେବଙ୍କ ଯତ୍ନ ସଫଳକରିବା ଉଦ୍ଦେଶ୍ୟରେ ବାଲେଶ୍ୱରଠାରେ ଗୋଟିଏ ସଭା ହୁଏ, ସେଥିରେ ସ୍ଥିର ହେଲା ଯେ, ‘ଜଗନ୍ନାଥ’ ନାମରେ ଖଣ୍ଡିଏ ପୁସ୍ତିକା ବଦଳରେ ହଠାତ୍ ‘ଓଡ଼ିଆ’ ନାମରେ ଖଣ୍ଡିଏ ସଂବାଦପତ୍ର ବାହାରି ପଡ଼ିଲା ।

ଆମ୍ଭମାନଙ୍କର ସାହଯୋଗୀ ‘ନବସଂବାଦ’ ଏ ନଗରରେ ନିର୍ବାହିତ ହୋଇ ନ ପାରି ବାଲେଶ୍ୱରର ‘ଓଡ଼ିଆ’ ସଙ୍ଗେ ମିଶି ଯାଇଛନ୍ତି । ଉତ୍କଳଦର୍ପଣର ମୃତ୍ୟୁ ଉତ୍ତାରୁ ‘ଶିକ୍ଷାବନ୍ଧୁ’ ପରିବର୍ତ୍ତରେ ଯେତେବେଳେ ନବସଂବାଦର ସୃଷ୍ଟି ହେଲା, ତେତେବେଳୁଁ ଆମ୍ଭେମାନେ ଏହାକୁ ଶିକ୍ଷାବିଭାଗର ପତ୍ରିକା ବୋଲି ବୁଝିଥିଲୁଁ । ଓଡ଼ିଆ ଯଦ୍ୟପି ଜଗନ୍ନାଥଙ୍କ ନାମ ଘେନି ଅବତୀର୍ଣ୍ଣ, ତଥାପି ତାହାକୁ ଗୋଟିଏ ଶିକ୍ଷା ବିଭାଗୀୟ ପତ୍ରିକାର ଅବତାର ବୋଲି ଧାରଣା କରିଥିଲୁଁ ।’’ (୭।୧।୮୮) ଏହି ଓଡ଼ିଆ ଓ ନବସଂବାଦର କଳେବର ମଧ୍ୟ ରାୟ ଓ ରାଓ କବିଦ୍ୱୟଙ୍କ ବିଭିନ୍ନ ସମୟ ଲିଖିତ ବିବିଧ ଲେଖାବଳୀରେ ଅଳଙ୍କୃତ ହୋଇଅଛି ।

 

 

 

୨୫. ସାମ୍ୟବାଦୀ

ଶଂସିତ ବର୍ଷରେ ‘ସାମ୍ୟବାଦୀ’ ନାମକ ଖଣ୍ଡିଏ ମାସିକ ପତ୍ର ଏହି ନଗରରୁ ପ୍ରକାଶିତ ହୋଇ ବିନା ମୂଲ୍ୟରେ ବିତରିତ ହେଉଥିଲା । ସମ୍ପାଦକ ଏବଂ ପ୍ରକାଶକ ଶ୍ରୀଯୁକ୍ତ ଲଳିତ ମୋହନ ଚକ୍ରବର୍ତ୍ତୀ । ସାମ୍ୟବାଦୀଧର୍ମ ଓ ନୀତିର ପ୍ରଚାର ଉଦ୍ଦେଶ୍ୟରେ ଏହାର ପରିଚାଳକ ବ୍ରତୀ ହୋଇଥିଲେ । ଦଳବିଶେଷ ପ୍ରତି ବିଦ୍ୱେଷବଶତଃ ସେ ଜିଗୀଷାର ବଶବର୍ତ୍ତୀ ହୋଇ କେବଳ ଏହି ପତ୍ରିକାଟି ସାଧାରଣରେ ପ୍ରଚାରିତ କରି କ୍ଷାନ୍ତ ହୋଇ ନ ଥିଲେ, ତତ୍‌ସମକାଳରେ ଗୋଟିଏ ସାମ୍ୟବାଦୀ ସ୍କୁଲ ମଧ୍ୟ ବସାଇ ଥିଲେ ।

୨୬. ବ୍ୟବସାୟୀ

୧୮୮୬ ମସିହାରେ ମୟୂରଭଞ୍ଜରୁ ‘ବ୍ୟବସାୟୀ’ ନାମକ ଖଣ୍ଡିଏ କୃଷିଶିଳ୍ପ ବାଣିଜ୍ୟ ବିଷୟକପତ୍ରିକା ଉକ୍ତ ରାଜ୍ୟର ବନ୍ଦୋବସ୍ତ କର୍ମଚାରୀଙ୍କଦଦ୍ୱାରା ପରିଚାଳିତ ହୋଇଥିଲା ।

27. Orissa Students

ସେହି ବର୍ଷରେ କେନ୍ଦ୍ରାପଡ଼ାଠାରୁ ବାବୁ ଲକ୍ଷ୍ମୀନାରାୟଣ ଦାସଗୁପ୍ତଙ୍କ ସମ୍ପାଦକତ୍ୱରେ ‘Orissa Students’ ନାମକ ଖଣ୍ଡିଏ ଇଂରାଜୀ ସଂବାଦପତ୍ର ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଖଣ୍ଡକ ତଦାନୀନ୍ତନ ଶିକ୍ଷକ ଓ ଛାତ୍ରସମାଜର ଗ୍ରାହକତାରେ କିଛି କାଳ ମାତ୍ର ଚଳିଥିଲା ।

 

28. Orissa Patriot

ବର୍ତ୍ତମାନ ଆମ୍ଭେମାନେ ୧୮୮୮ ମସିହାରେ ଘଟନା ପ୍ରତି ପାଠକ ସାଧାରଣ ଦୃଷ୍ଟି ଆକର୍ଷଣ କରୁଅଛୁଁ । ଉକ୍ତ ବର୍ଷର ପୂର୍ବବର୍ଣ୍ଣିତ ‘ସଂସ୍କାରକର’ ରୂପ ପରିବର୍ତ୍ତନ ଘଟିଥିଲା । ସେ ବିଷୟରେ ତହିଁର ସମ୍ପାଦକ ଶେଷରେ ଯେଉଁ କୈଫିୟତ୍‌ ପ୍ରଦାନ କରିଥିଲେ, ତାହା ଏହି–‘‘ସଂସ୍କାରକ ପାଞ୍ଚ ବର୍ଷ ଚମତ୍କାର କାର୍ଯ୍ୟ କରି ‘ଓଡ଼ିଶା ପେଟ୍ରିୟଟ୍‌’ ହୋଇଥିବାରୁ ତାହାଙ୍କର ବନ୍ଧୁ ଓ ସ୍ୱଦେଶୀମାନେ ସନ୍ତୁଷ୍ଟ ହୋଇ ‘ଉତ୍କଳ ହିତୈଷୀ’ ନାମ ପ୍ରଦାନ କଲେ । ଅତଏବ ସଂସ୍କାରକ ଏଣିକି ନୂତନ ନାମ ଧାରଣ କଲେ ।’’ (୨୮-୪-୮୮ର ଦୀପିକା) ୧୮୮୮ ଅବ୍ଦର ପ୍ରାରମ୍ଭରେ ଏହି ‘ଓଡ଼ିଶା ପେଟ୍ରିୟଟ୍‌’ ଇଂରାଜୀ ପରିଚ୍ଛଦରେ ବାହାରିଥିଲେ ଏବଂ ବର୍ଷେ ପୂର୍ଣ୍ଣ ନ ହେଉଣୁ ଉଭେଇଗଲେ ।

 

୨୯. ଆଶା

 

ନବୀନ ଉତ୍କଳ ହିତୈଷୀଙ୍କ ଆକସ୍ମିକ ତିରୋଧାନରେ ଦେଶବାସୀ ପାଠକ ସାଧାରଣ ସମ୍ଭବତଃ ହତାଶ ହୋଇ ନ ଥିଲେ । ନବପ୍ରକାଶିତ ‘ଆଶା’ ସେମାନଙ୍କର ଜ୍ଞାନଧର୍ମତୃଷ୍ଣା ନିବାରଣ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ଥିଲା । ସ୍ୱର୍ଗୀୟ ସାଧୁଚରଣ ରାୟ ଏହି ପତ୍ରିକାର ସମ୍ପାଦକ ଏବଂ ଭକ୍ତକବି ମଧୁସୂଦନ ତାହାର ଉଦ୍‌ବୋଧକ ଥିଲେ । ତତ୍‌ପ୍ରଣୀତ ‘ଆଶା’ କବିତା ପତ୍ରିକାର ଆଦ୍ୟରେ ପ୍ରକାଶିତ ହୋଇଥିଲା । ତହିଁର ପ୍ରତି ସଂଖ୍ୟାରେ ପୃଷ୍ଠଭାଗରେ କବିଙ୍କର ଏହି ଦୁଇ ପଂକ୍ତି ମୁଦ୍ରାଙ୍କିତ ଥିଲା ।

 

 

‘ଦେଖରେ ନୟନ ଫେଡ଼ି ମୋ ନୟନପ୍ରଭା ଆଶା ପ୍ରଭାମୟୀ,

ବିନାଶି ତିମିର ରାଶି ବିଶ୍ୱାସସୁଲଭା ବିଶ୍ୱ ଉଜଳଇ ।’

 

ଏହି ପତ୍ରିକାରେ ରାଓ କବିଙ୍କ ନାନା ବିଷୟକ ପ୍ରବନ୍ଧ, କବିତା ସ ସଙ୍ଗୀତ ବ୍ୟତୀତ ଶ୍ରୀଯୁକ୍ତ ବିଶ୍ୱନାଥ କର, ଶ୍ରୀଯୁକ୍ତ ବିଜୟଚନ୍ଦ୍ର ମଜୁମଦାର ଓ ସମ୍ପାଦକଙ୍କର ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ଶ୍ରଦ୍ଧେୟ ବିଶ୍ୱନାଥ ବାବୁଙ୍କର ‘ସ୍ୱାଧୀନଚିନ୍ତା’ ‘ପ୍ରତିଜ୍ଞାର ବଳ’ ଓ ‘ମହାତ୍ମା ମ୍ୟାଟ୍‌ସିନି’ ପ୍ରଭୃତି ପ୍ରବନ୍ଧ ଏଥିରେ ପ୍ରକାଶିତ ହୋଇଥିଲା । ତନ୍ମଧ୍ୟରୁ ଶେଷୋକ୍ତ ପ୍ରବନ୍ଧଟି ତତ୍କାଳୀନ ସାମୟିକ ପତ୍ରିକାମାନଙ୍କରେ ଆଲୋଚିତ ଓ ପ୍ରଶଂସିତ ହୋଇଥିଲା । କଟକ ଭିକ୍ଟୋରିଆ ପ୍ରେସରୁ ପ୍ରକାଶିତ ଏବଂ ଉତ୍କଳ ବ୍ରାହ୍ମସମାଜ ଦ୍ୱାରା ପରିଚାଳିତ ଧର୍ମ, ଶିକ୍ଷା ଓ ସାହିତ୍ୟବିଷୟକ ଏହି ମାସିକ ପତ୍ରଟି ତେତେବେଳେ ମୂଲ୍ୟରେ ସର୍ବାପେକ୍ଷା ସୁଲଭ ଥିଲେ ସୁଦ୍ଧା ପ୍ରାୟ ଦୁଇ ବର୍ଷ ମାତ୍ର ସୁନିୟମରେ ଚଳିଥିଲା ।

 

୩୦. ସମାଲୋଚନା

 

୧୮୮୯ ମସିହାରେ ‘ସାହିତ୍ୟ ସମ୍ମିଳନୀ-ସମାଲୋଚନା ପତ୍ରିକା’ ନାମରେ ଖଣ୍ଡିଏ ସମ୍ବାଦପତ୍ର ଓଡ଼ିଶା ପେଟ୍ରିୟଟ୍‌ପ୍ରେସରୁ ପ୍ରକାଶିତ ହେବାକୁ ଲାଗିଲା । ପାଠ୍ୟପୁସ୍ତକାବଳୀ ଓ ତତ୍କାଳ ପ୍ରକାଶିତ ଗ୍ରନ୍ଥମାନଙ୍କର ସମାଲୋଚନାହିଁ ଏହାର ମୂଳମନ୍ତ୍ର ଥିଲା । ଏହି ପତ୍ରିକାର ପରିଚାଳକ ସାହିତ୍ୟ ସମ୍ମିଳନୀ ୧୮୮୬ ଅବ୍ଦରେ ନିମ୍ନଲିଖିତ ପ୍ରଧାନ ସଦସ୍ୟମାନଙ୍କୁ ଘେନି ଗଠିତ ହୋଇଥିଲା ।

 

 

ସ୍ୱର୍ଗତ ରାୟବାହାଦୂର ଗୌରୀଶଙ୍କର ରାୟ

ସ୍ୱର୍ଗତ ରାୟବାହାଦୂର ରାଧାନାଥ ରାୟ

ସ୍ୱର୍ଗତ ରାୟବାହାଦୂର ମଧୁସୂଦନ ରାଓ

ସ୍ୱର୍ଗତ ପଣ୍ଡିତ ନିମାଇବଲ୍ଲଭ ଭଟ୍ଟାଚାର୍ଯ୍ୟ

ସ୍ୱର୍ଗତ ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ

ସ୍ୱର୍ଗତ ପଣ୍ଡିତ ଗଦାଧର ତ୍ରିପାଠୀ

ସ୍ୱର୍ଗତ ଶ୍ରୀଯୁକ୍ତ କାଳୀପଦ ବନ୍ଦୋପଧ୍ୟାୟ

ସ୍ୱର୍ଗତ ଶ୍ରୀଯୁକ୍ତ ଜଗନ୍ମୋହନ ରାୟ

ସ୍ୱର୍ଗତ ଶ୍ରୀଯୁକ୍ତ ଦୀନନାଥ ବନ୍ଦୋପଧ୍ୟାୟ

ସ୍ୱର୍ଗତ ଶ୍ରୀଯୁକ୍ତ ଚତୁର୍ଭୁଜ ପଟ୍ଟନାୟକ

ଏବଂ ଶ୍ରୀଯୁକ୍ତ ରାମଶଙ୍କର ରାୟ

 

୩୧. ଦୀପକ

 

ଉକ୍ତ ୧୮୮୯ ମସିହାରେ ମଧ୍ୟ ଏ ନଗରର ଭିକ୍ଟୋରିଆ ପ୍ରେସରୁ ‘ଦୀପକ’ ନାମକ ଖଣ୍ଡିଏ ସାପ୍ତାହିକ ପତ୍ରିକା ପ୍ରକାଶିତ ହୋଇଥିଲା । ଏ ପତ୍ରିକା ସମ୍ବନ୍ଧରେ ବିଶେଷ ବିବରଣ ଜଣା ନ ଥିବାରୁ ‘ଦୀପିକା’ର ଏହି ଟିପ୍‌ପଣୀ ପାଠକ ସାଧାରଣଙ୍କର ଅବଗତ ନିମିତ୍ତ ଉଲ୍ଲେଖ କରୁଅଛୁଁ । ‘‘ଅନେକ ସମ୍ବାଦ ପତ୍ର ଲେଖକଙ୍କୁ ନିନ୍ଦୁକ, ସ୍ୱାର୍ଥପର ଓ ଅଯୋଗ୍ୟ କହିବାରୁ ଏ ପତ୍ରିକା ଉଚ୍ଚ ଆଦର୍ଶ ଦେଖାଇବାର ଆଶା କରାଯାଏ । ଅନେକ ବଡ଼ଲୋକ ଏହାର ସାହାଯ୍ୟକାରୀ ବୋଲି ଶୁଣାଯାଏ ।’’

 

୩୨. ସମ୍ବଲପୁର ହିତୈଷିଣୀ

 

ଉକ୍ତ ବର୍ଷରେ ଯେତେଖଣ୍ଡ ସମ୍ବାଦପତ୍ର ନୂତନ ପ୍ରକାଶିତ ହୋଇଅଛି, ତନ୍ମଧ୍ୟରେ ‘ସମ୍ବଲପୁର ହିତୈଷିଣୀ’ ହିଁ ଦୀର୍ଘ ଜୀବନ ଏବଂ ସର୍ବାପେକ୍ଷା ଅଧିକ ପ୍ରସିଦ୍ଧି ଲାଭ କରିଅଛି । ବାମଣ୍ଡାର ଜଗନ୍ନାଥବଲ୍ଲଭ ପ୍ରେସରୁ ଏହାର ଜନ୍ମ । ସୁଗୃହୀତନାମା ସାହିତ୍ୟରସିକ ମହାରାଜା ସୁଢ଼ଳ ଦେବ ହିଁ ଏହି ପତ୍ରିକାର ଜୀବନଦାତା ଓ ପ୍ରଧାନ ଅଭିଭାବକ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଆଦ୍ୟ ସମ୍ପାଦକ ଥିଲେ । ‘ବିଦ୍ୱାନ୍‌-ମରାଳ-କୁଳ-ପଦାକର’ ଏହି ନୃପତିଙ୍କ ଆନୁକୂଲ୍ୟ ଏବଂ ବିଦ୍ୟାରତ୍ନଙ୍କ ତୁଲ୍ୟ ଧୁରନ୍ଧର ସମ୍ପାଦକଙ୍କ କାର୍ଯ୍ୟକୁଶଳତାରେ ଏହି ‘ହିତୈଷିଣୀ’ ଖ୍ୟାତି ଓ ପ୍ରତିପତ୍ତିରେ ତଦାନୀନ୍ତନ ପତ୍ରିକାମଣ୍ଡଳରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା । ସାହିତ୍ୟବିଶାରଦ ସୁଢ଼ଳ ଦେବଙ୍କ ପ୍ରସାଦରୁ ବାମଣ୍ଡା ରାଜଧାନୀ ଦେବଗଡ଼ ତେତେବେଳେ ସାହିତ୍ୟ ଚର୍ଚ୍ଚାର ଗୋଟିଏ କେନ୍ଦ୍ରସ୍ଥଳ ହୋଇପଡ଼ିଥିଲା । ତେଣୁ ଉକ୍ତ ପତ୍ରିକା ସାହିତ୍ୟଚର୍ଚ୍ଚା ଓ ସାମୟିକ ବିବିଧପ୍ରସଙ୍ଗର ଆଲୋଚନାରେ ଅନ୍ୟ ସମସ୍ତ ସହଯୋଗିନୀଙ୍କୁ ବଳି ପଡ଼ିଥିଲା । ଏଥିରେ ଲେଖକମାନଙ୍କ ମଧ୍ୟରୁ ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କର ନାନା ବିଷୟରେ ପ୍ରବନ୍ଧ ଓ ସମାଲୋଚନା ଧାରାବାହିକ ରୂପେ ପ୍ରକାଶିତ ହୋଇଥିଲା । ଶ୍ରଦ୍ଧେୟ ବିଶ୍ୱନାଥ ବାବୁଙ୍କୁ ସୁଲେଖକ ନ କହି ସୁନିପୁଣ ସମାଲୋଚକ କହିଲେ ବୋଧହୁଏ ଅଧିକ ସଙ୍ଗତ ହେବ । ଆଧୁନିକ ଉତ୍କଳ ସାହିତ୍ୟ କ୍ଷେତ୍ରରେ ସେ ପ୍ରଥମ ସମାଲୋଚକ ନ ହୁଅନ୍ତୁ; କିନ୍ତୁ ସମାଲୋଚନାର ପ୍ରକୃତ ବିଚାରରେ ସେ ପ୍ରଥମ ସ୍ଥାନ ଅଧିକାର କରିବେ ବୋଲି ବିଶ୍ୱାସ କରେଁ । ତାଙ୍କର ଓଜସ୍ୱିନୀ ସମାଲୋଚନା ପ୍ରଭାବରେ ତେତେବେଳେ ଅନେକ ସମ୍ପ୍ରଦାୟରେ ଚୈତନ୍ୟୋଦୟ ହୋଇଥିଲା । ବିଶେଷତଃ ଶିକ୍ଷାବିଭାଗରେ ଆଶୁସଂସ୍କାର ବିହିତ ହୋଇଥିଲା । ହିତୈଷିଣୀରେ ପ୍ରକାଶିତ ତାହାଙ୍କ ପ୍ରବନ୍ଧାବଳୀ ମଧ୍ୟରୁ ହିତବାଦନୀତି, ସାଧନା ଓ ସିଦ୍ଧି, ସାହିତ୍ୟଚର୍ଚ୍ଚା, ସାହିତ୍ୟ ଓ ସମାଲୋଚନା, କବିବର ଉପେନ୍ଦ୍ର ଭଞ୍ଜ, ଶିକ୍ଷା, ପୁରାତନ, ବାଲ୍ୟଶିକ୍ଷା ପ୍ରଭୃତି କେତୋଟି ପ୍ରବନ୍ଧ ତଦୀୟ ‘ବିବିଧ ପ୍ରବନ୍ଧ’ ପୁସ୍ତକରେ ସଂକଳିତ ହୋଇଅଛି । ହିତୈଷିଣୀ ପୂର୍ବ ଖ୍ୟାତି ପ୍ରତିପତ୍ତି ହରାଇଥିଲେ ହେଁ ବାମଣ୍ଡାର ସାହିତ୍ୟାନୁରାଗୀ ରାଜବଂଶ ପ୍ରସାଦରୁ ନିୟମିତ ଭାବରେ ଆଜି ପର୍ଯ୍ୟନ୍ତ ଚଳି ଆସୁଅଛି-

 

୩୩. ଉତ୍କଳ ପ୍ରଭା

 

ଊନବିଂଶ ଶତାବ୍ଦୀର ଶେଷ ‘ଦଶନ୍ଧି’ ବା ଦଶାବ୍ଦୀରେ ଉତ୍କଳ ସାହିତ୍ୟ ସଂସାରରେ ଯଥାର୍ଥ ଜାଗରଣ ଦେଖାଗଲା । ଯୁଗର ଶ୍ରେଷ୍ଠ କବି ଅମୃତ କଣ୍ଠରେ ଗାଇଲେ -

 

‘‘ପାହିଲାଣି ଘୋର ତାମସୀ ଯାମିନୀ;

ଫୁଟିବ ଉତ୍କଳଭାଷା-କମଳିନୀ ।

ରବିରୂପେ ଏବେ ଉଦୟ ଅଚଳେ

ରବି ବଂଶମଣି ଉଦିତ ଉତ୍କଳେ ।

ବୀଣାପାଣି ପୂଜାଯୋଗ୍ୟ କଞ୍ଜକୁଳ

ଫୁଟିବାର ଏହି କାଳ ଅନୁକୂଳ ।

ସେ ପଦ୍ମ ଫୁଟିବ କବି ହୃଦସରେ

ନବୋଦିତ ଏହି ଭଞ୍ଜ-ରବିକରେ ।’’

 

ପୁଣ୍ୟ ସ୍ୱଭାବ ସ୍ୱର୍ଗତ ମହାରାଜ ରାମଚନ୍ଦ୍ର ମୟୂରଭଞ୍ଜ ରାଜସିଂହାସନ ଅଳଙ୍କୃତ କରି ଆଦ୍ୟରୁ ମାତୃଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ଲାଗି ବଦ୍ଧପରିକର ହୋଇଥିଲେ । ୧୮୯୧ ମସିହାର ପ୍ରାରମ୍ଭରେ ତାହାଙ୍କର ଏହି ଶୁଭ ଘୋଷଣା ସମ୍ବାଦପତ୍ର ମୁଖରେ ପ୍ରଚାରିତ ହେଲା ଯେ, ‘‘ଦେଶର ଶିକ୍ଷିତମଣ୍ଡଳୀ ଉତ୍ସାହ ଓ ଧନର ଅଭାବରୁ ପ୍ରବନ୍ଧ ଓ ଗ୍ରନ୍ଥାଦି ଲେଖିବାକୁ ଯତ୍ନବାନ୍‌ ହେଉ ନାହାନ୍ତି, ଏହି ଅଭାବ ଦୂର କରିବା ଉଦ୍ଦେଶ୍ୟରେ ମୟୂରଭଞ୍ଜରୁ ‘ଉତ୍କଳ ପ୍ରଭା’ ନାମ୍ନୀ ମାସିକ ପତ୍ରିକା ଆଗାମୀ ବୈଶାଖ ମାସଠାରୁ ପ୍ରକାଶ କରାଯିବ । ଏଥିରେ ସାହିତ୍ୟ, ବିଜ୍ଞାନ, ଦର୍ଶନ, ରାଜନୀତି, ସାଧାରଣ ଧର୍ମ ଓ ନୀତି ସମ୍ବନ୍ଧୀୟ ପ୍ରବନ୍ଧମାନ ସନ୍ନିବେଶିତ ହେବ । ଉତ୍କୃଷ୍ଟ ପ୍ରବନ୍ଧ ଲେଖକମାନେ ପୁରସ୍କୃତ ହେବେ । ବର୍ଷକ ମଧ୍ୟରେ ଛ ଜଣ ପଦ୍ୟ ଲେଖକଙ୍କୁ ୧୨୦ ଟଙ୍କା ଏବଂ ଛ ଜଣ ଗଦ୍ୟ ଲେଖକଙ୍କୁ ୧୨୦ ଟଙ୍କା ଗୁଣାନୁସାରେ ପ୍ରଦତ୍ତ ହେବ । କାବ୍ୟ, ନାଟକ ବା ଆଖ୍ୟାୟିକାର ଲେଖକ ଏବଂ ବୈଜ୍ଞାନିକ ବା ଐତିହାସିକ ପ୍ରବନ୍ଧ ଲେଖକମାନେ ପୁରସ୍କାରଯୋଗ୍ୟ ପୁସ୍ତକ ପତ୍ରିକାର ସମ୍ପୂର୍ଣ୍ଣ ପ୍ରକାଶ କଲେ ୨୦୦ ଟଙ୍କା ଏବଂ ଆଶିଂକ ପ୍ରକାଶ କଲେ ୬୦ ଟଙ୍କା ପୁରସ୍କାର ପାଇବେ-। ଲେଖକମାନେ ପୁରସ୍କୃତ ପ୍ରବନ୍ଧ ବା ପୁସ୍ତକ ସ୍ୱତନ୍ତ୍ର ପ୍ରକାଶ କରିବାକୁ ଇଚ୍ଛାକଲେ ମୟୂରଭଞ୍ଜ ଯନ୍ତ୍ରାଳୟରେ କେବଳ କାଳୀ କାଗଜର ମୂଲ୍ୟ ଦେଇ ୫୦୦ ଖଣ୍ଡ ଛାପା କରାଇ ପାରିବେ ।’’ ଏହି ଉତ୍ସହବାଣୀରେ ସମୁତ୍ସାହିତ ହୋଇ ଅନେକ କୃତବିଦ୍ୟ ଳେଖକ ଲେଖନୀଧାରଣପୂର୍ବକ ଏ ପ୍ରତିଯୋଗିତା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ବହୁ ସୁଲେଖକଙ୍କ ସୁଚିନ୍ତାପୂର୍ଣ୍ଣ ପ୍ରବନ୍ଧର ଦୀପ୍ତିରେ ‘ଉତ୍କଳ ପ୍ରଭା’ ଅପୂର୍ବ ସାରସ୍ୱତ ଶ୍ରୀ ଧାରଣ କରିଥିଲା । ଅଳ୍ପକାଳ ମଧ୍ୟରେ ନାନା ଶ୍ରେଷ୍ଠ କାବ୍ୟ, ନାଟକ, ଆଖ୍ୟାୟିକା, କବିତା, ପ୍ରବନ୍ଧ ଓ ଗଦ୍ୟାନୁବାଦରେ ଉତ୍କଳ ସାହିତ୍ୟ ଯେପରି ପୁଷ୍ଟି ଲାଭ କରିଥିଲା, ଏଥିପୂର୍ବରୁ ବହୁକାଳ ମଧ୍ୟରେ ସେପରି ହୋଇ ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିରେ ଶ୍ରେଷ୍ଠ କବି ଓ ଗ୍ରନ୍ଥକାରଙ୍କୁ ସମୁଚିତ ପୁରସ୍କାର ଦେବାଦ୍ୱାରା ଯୋଗ୍ୟତାର ଯେପରି ସମ୍ମାନ କରାଯାଇଥିଲା, ନୂତନ ଲେଖକମାନଙ୍କୁ ପୁରସ୍କୃତ କରି ସେହିପରି ଉତ୍ସାହ କରାଯାଇଥିଲା । ଦୁଃଖର ବିଷୟ ଯେ, ଏ ପତ୍ରିକା ୧୮୯୫ ମସିହା ପର୍ଯ୍ୟନ୍ତ ଜୀବିତ ଥିଲା-। ଏହି ଚାରି ବର୍ଷ ମଧ୍ୟରେ ସେ କିପରି ସାହିତ୍ୟ ଉତ୍ପାଦନ କରିଥିଲା, ଏଠାରେ ତହିଁର ଟିକିଏ ସୂଚନା କରାଯାଉ । ‘ଉତ୍କଳ ପ୍ରଭାର’ ପ୍ରଥମ ଭାଗର ଗୋଟିଏ ସଂଖ୍ୟା କବିବର ରାଧାନାଥଙ୍କ ‘ଚିଲିକା’ କାବ୍ୟରେ ଅଳଙ୍କୃତ ହୋଇଥିଲା । ଏହାର ଦ୍ୱିତୀୟ ବର୍ଷରେ ତତ୍‌ପ୍ରଣୀତ ‘ମହାଯାତ୍ରା’ ମହାକାବ୍ୟ କ୍ରମଶଃ ପ୍ରକାଶିତ ହୋଇଥିଲା । ସୁହୃଦର ଶ୍ରୀଯୁକ୍ତ ଶଶିଭୂଷଣ ରାୟଙ୍କ ମୁଖରୁ ଅବଗତ ହେଲି ଯେ, ‘‘ଦିବ୍ୟ ଅବଧାନେ ଆସୁ ଏ ଗୀତି ତୁମ୍ଭର, ହେ ରାଜେନ୍ଦ୍ର, ମନ୍ଦ୍ରନାଦୀ ପ୍ରପାତର ପତି, ବାମଣ୍ଡାମଣ୍ଡଳେଶ୍ୱର ଉତ୍କଳ-ମଣ୍ଡନ’’, ଷଷ୍ଠ ସର୍ଗର ଏହି ମୂଳାଂଶ ସର୍ବ ପ୍ରଥମେ ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ ହୋଇଥିଲା । ଭକ୍ତକବି ମଧୁସୂଦନଙ୍କ ‘ଋଷିପ୍ରାଣେ ଦେବାବତରଣ’ ଏବଂ ଉତ୍କଳ ଭାଷା ଓ ସାହିତ୍ୟ ବିଷୟକ ପ୍ରବନ୍ଧ, * ଶ୍ରୀଯୁକ୍ତ ରାମଶଙ୍କର ରାୟଙ୍କ ‘ବୀବାସିନୀ’ ଉପନ୍ୟାସ ମଧ୍ୟ ଏହି ପ୍ରଥମ ବର୍ଷରେ ପ୍ରକାଶିତ ହୋଇଅଛି । ଏମାନଙ୍କ ବ୍ୟତୀତ ଅନ୍ୟ ଯେଉଁ ପ୍ରବନ୍ଧଲେଖକମାନଙ୍କର ପ୍ରବନ୍ଧାଦି ଏଥିରେ ବାହାରିଥିଲା, ସେମାନଙ୍କ ନାମ ତାଲିକା ନିମ୍ନରେ ପ୍ରକାଶ କରୁଅଛୁଁ–

 

ସ୍ୱର୍ଗୀୟ ଫକୀରମୋହନ ସେନାପତିଙ୍କ–ଜହ୍ନ ମାମୁ, ପ୍ରାର୍ଥନା, ଯୋସେଫାଇନ୍‌, ଜୀବନନଦୀ, ନିଦାଘ ନିଶୀଥ ସ୍ୱପ୍ନ, ବିଭାଷରାଗିଣୀ ପ୍ରଭୃତି କ୍ଷୁଦ୍ର କ୍ଷୁଦ୍ର କବିତା ।

 

ସ୍ୱର୍ଗତ ଲାଲା ରାମନାରାୟଣ ରାୟଙ୍କ–କବି ଉପେନ୍ଦ୍ର ଭଞ୍ଜ ଓ ଭଞ୍ଜ କାବ୍ୟ ସମାଲୋଚନା ପ୍ରଭୃତି ।

 

ସ୍ୱର୍ଗତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ–ମହାଭାରତର ଆଶିଂକ ଗଦ୍ୟାନୁବାଦ ।

 

ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କ–ମହାସ୍ରୋତ, ରାକ୍ଷସ ଲୀଳା, ସ୍ତ୍ରୀ ଶିକ୍ଷା, ସ୍ୱାଧୀନତା, ଅନନ୍ତପ୍ରେମ ପ୍ରଭୃତି ପ୍ରବନ୍ଧ ।

 

ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣାଙ୍କ–ଖଣ୍ଡଗିରି ପ୍ରଭୃତି କବିତା ।

 

ଉଲ୍ଲିଖିତ ତାଲିକାରୁ ଦେଖାଯାଉଛି, ଉତ୍କଳପ୍ରଭା ଆଧୁନିକ ଉତ୍କଳ ସାହିତ୍ୟର ଆଦର୍ଶ ଧାରଣ କରିଥିଲା । ଏ ସମୟରେ ଉନ୍ନତ ଓ ମାର୍ଜିତ ରୁଚିର ସାହିତ୍ୟ ପାଇ ଅନେକ ‘ସୁରୁଚିଧ୍ୱଜୀ’ ଲେଖକ ପ୍ରାଚୀନ ଆଦିରସାଶ୍ରିତ ସାହିତ୍ୟ ପ୍ରତି ଅତିମାତ୍ର ବିଦ୍ୱେଷଭାବାପନ୍ନ ହୋଇ ପଡ଼ିଲେ । ସେ ଦଳ ମଧ୍ୟରେ ଲାଲା ରାମନାରାୟଣ ଅଗ୍ରଣୀ ଥିଲେ । ସେ ଉତ୍କଳପ୍ରଭାର ପ୍ରାରମ୍ଭରୁ ଭଞ୍ଜ କବିଙ୍କ ପ୍ରତି କଟାକ୍ଷ କରି ‘କବି ଉପେନ୍ଦ୍ର ଭଞ୍ଜ’ ପ୍ରସଙ୍ଗରେ ତଦୀୟ କାବ୍ୟାଦି କୁରୁଚିପୂର୍ଣ୍ଣ ଏବଂ କେବଳ ଅଶ୍ଳୀଳତା ଦୋଷଦୂଷିତ ବୋଲି କ୍ରମଶଃ ତୀବ୍ର ସମାଲୋଚନରେ କରିବାକୁ ଲାଗିଲେ । ଏ ଭଞ୍ଜୀୟ ଆନ୍ଦୋଳନରେ ଲାଲାଜୀଙ୍କ ବଜ୍ର ଲେଖନୀ ସମଗ୍ର ଉତ୍କଳ ଖଣ୍ଡରେ କିପରି ତୁମୁଳ ଲଙ୍କାକାଣ୍ଡ ଘଟାଇ ଥିଲା, ତାହା ନବୀନମାନଙ୍କୁ ଭଲ ଜଣା ନ ଥିଲେହେଁ ପ୍ରବୀଣମାନଙ୍କ ସ୍ମୃତିପଟରେ ଉଜ୍ଜ୍ୱଳରୂପେ ଅଙ୍କିତ ଥିବ । ତେତେବେଳେ ଲାଲାଙ୍କ ପ୍ରତ୍ୟେକ ପ୍ରବନ୍ଧରେ ଉତ୍ତେଜିତ ଭଞ୍ଜ ଭକ୍ତଗଣଙ୍କର ପ୍ରତିବାଦ ଉତ୍କଳ ଦୀପିକାରେ କ୍ରମଶଃ ପ୍ରକାଶିତ ହେବାକୁ ଲାଗିଲା । ଦଳେ ଭଞ୍ଜ କାବ୍ୟରେ କେବଳ ବୀଭତ୍ସ ଅଶ୍ଳୀଳ ଚିତ୍ର ଦେଖି ଦୂରରୁ ନାସିକା କୁଞ୍ଚନ କରିବାକୁ ଲାଗିଲେ । ଅନ୍ୟେ ବ୍ୟାଖ୍ୟାଚାତୁରୀରେ ପ୍ରତିପକ୍ଷରେ ଯୁକ୍ତି ଖଣ୍ଡନପୂର୍ବକ ତାହାକୁ ଆଦରଣୀୟ ସାମଗ୍ରୀ ବୋଲି ଚେତାଇ ଜୟଡିଣ୍ଡିମ ବଜାଇଲେ । ଏହିରୂପେ ଉତ୍କଳ ସାହିତ୍ୟ କ୍ଷେତ୍ରରେ ‘ଅବ୍ଦବ୍ୟାପୀ ଶବ୍ଦମୟ ସମର’ କ୍ରମଶଃ ଭୀଷଣତର ହେବାକୁ ଲାଗିଲା ।

 

୩୪. ଇନ୍ଦ୍ରଧନୁ

 

ଦୀପିକାରେ ଏ ଯୁଦ୍ଧୋପକରଣମାନ ଆଉ ସମ୍ଭାଇ ନ ପାରିବାରୁ ଭଞ୍ଜଙ୍କ ପକ୍ଷ ସମର୍ଥନ ଉଦ୍ଦେଶ୍ୟରେ ହଠାତ୍‌ସାହିତ୍ୟାକାଶରେ ‘ଇନ୍ଦ୍ରଧନୁ’ର ଆବିର୍ଭାବ ହୋଇଥିଲା । ୧୮୯୩ ସାଲର ଏହି ଅସାମୟିକ ପତ୍ରିକାର ଭାଲ ଦେଶରେ ଏହା ଲେଖାଥିଲା–‘‘କିନ୍ତୁ ନିରୂପିତ କାଳେ ନ ଦିଶିବ ନଭେ କେଭେଁ ଏହି ଇନ୍ଦ୍ରଧନୁ, ନୁହେ ତାହା ଧର୍ମ । ଉଦୟ ଉପକରଣ ଯୋଗହେବ ଯେବେ, ବିଭାସିବ ନଭେ ତେବେ ଏହା କେବେ କେବେ ।’’

 

୩୫. ବିଜୁଳି

 

କଟକରେ ଇନ୍ଦ୍ରଧନୁର ଦୀପ୍ତି ଦେଖି ବାମଣ୍ଡାରୁ ‘ଅଶ୍ଳୀଳନାଶିନୀ’ ବିଜୁଳି ବାହାରିଲା । ଉଭୟ ପକ୍ଷର ଲେଖକମାନେ ବାଦ ପ୍ରତିବାଦ ଟୀକା ଟିପ୍‌ପଣୀ ଓ ଭାଷ୍ୟ ଭାଷଣରେ କିପରି ଅଶ୍ଳୀଳତାର ଚରମ ସୀମାକୁ ଯାଇଥିଲେ, ତାହା ମୁରାରିପନ୍ଥାଧାରୀ ରାଓ କବିଙ୍କ ବ୍ୟଙ୍ଗାତ୍ମକ ‘ସାବାସ୍‌ ସାହିତ୍ୟ ଚର୍ଚ୍ଚା ସାବାସ୍‌ ସାବାସ୍‌’ ଓ ‘ଭଣ୍ଡ ରସାୟନ କାବ୍ୟ’ ପାଠକଲେ ଯୁବକ ପାଠକମାନେ ଅନୁମାନ କରି ପାରିବେ । ଇନ୍ଦ୍ରଧନୁ ଓ ବିଜୁଳିର ଦ୍ୱନ୍ଦ୍ୱ ଯୁଦ୍ଧରେ ଅନେକ ଲେଖନୀ-ପ୍ରହରଣ ବୀରପୁରୁଷ ରଣକ୍ଷେତ୍ରରେ ନୂତନ ଅବତୀର୍ଣ୍ଣ ହୋଇଥିଲେ । ଏ ସଙ୍ଘର୍ଷଣ ଦୂଷଣୀୟ ହୋଇଥିଲେହେଁ ବିଷରୁ ଅମୃତୋତ୍ପତ୍ତି ପ୍ରାୟ ସେଥିରୁ ମଙ୍ଗଳ ମଧ୍ୟ ସମ୍ଭବି ଅଛି । ଏହି ବିପ୍ଳବ ଫଳରେ ପରବର୍ତ୍ତୀ ଶିକ୍ଷିତ ସମାଜର ରୁଚି ବହୁ ପରିମାଣରେ ପରିବର୍ତ୍ତିତ ଓ ମାର୍ଜିତ ହୋଇଅଛି ଏବଂ ସାହିତ୍ୟର ଲେଖକ ସଂଖ୍ୟା ବୃଦ୍ଧିଲାଭ କରିଅଛି । ଏ ବିପ୍ଳବର ସଂକ୍ଷିପ୍ତ ଇତିହାସ ପ୍ରକାଶ ଏ ପ୍ରବନ୍ଧରେ ଅସମ୍ଭବ । ବରଂ ତାହା କୌଣସି ପ୍ରବନ୍ଧ ଲେଖକଙ୍କର ସ୍ୱତନ୍ତ୍ର ପ୍ରବନ୍ଧର ବିଷୟ ହୋଇ ପାରିବ । କଳହ ଶାନ୍ତି ଉତ୍ତାରେ ‘ବିଜୁଳି’ ଚଞ୍ଚଳା ନାମ ସାର୍ଥକ କରିଥିଲେହେଁ ‘ଇନ୍ଦ୍ରଧନୁ’ ମାସିକ ପତ୍ରିକା ରୂପରେ ଆଉ କିଛିକାଳ ସ୍ଥାୟୀ ହୋଇଥିଲା । ସେଥିରେ ଅନେକ ସୁଲେଖକ ଓ ରୁଚିଧ୍ୱଜୀ ଲେଖକଙ୍କର ମଧ୍ୟ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ସ୍ୱର୍ଗୀୟ ଗୋପାଳବଲ୍ଲଭ ଦାସଙ୍କ ଅମିତ୍ରାକ୍ଷର ଛନ୍ଦର ‘ତାରକା ସଂହାର’ କାବ୍ୟ, ‘ରାୟ ବାହାଦୂର ନନ୍ଦକିଶୋର ଦାସଙ୍କ ଚରିତ’, ରାମଶଙ୍କର ବାବୁଙ୍କ ‘ଉନ୍ମାଦିନୀ’ ଉପନ୍ୟାସ (ଅପୂର୍ଣ୍ଣ) ଏବଂ ମଧୁ ବାବୁଙ୍କର କେତୋଟି ଚତୁର୍ଦ୍ଦଶପଦୀ କବିତା ତନ୍ମଧ୍ୟରେ ଉଲ୍ଲେଖ ଯୋଗ୍ୟ ।

 

୩୬. ବ୍ରାହ୍ମ

 

୧୮୯୨ ମସିହାରେ ‘ଆଶା’ ନାମ୍ନୀ ମାସିକପତ୍ରିକା ପୁନର୍ବାର ପ୍ରକାଶିତ ହୋଇଥିଲା । ଶ୍ରୀମତୀ ରେବା ରାୟ ଏହାର ସମ୍ପାଦିକାଥିଲେ । ଦୀପିକାସମ୍ପାଦକ ପ୍ରାପ୍ତିସ୍ୱୀକାରସ୍ଥଳରେ କହିଥିଲେ, ‘ଆଶାର ଲେଖା ଆଶାପ୍ରଦ ଆଶା କରୁଁ, ଏହା ସ୍ତ୍ରୀମଣ୍ଡଳୀରେ ଆଦୃତ ହେବ । ସମ୍ପାଦିକା ଆଶାର ଭାଷା ଆହୁରି ସରଳ କରିବେ ।’ ଆମ୍ଭମାନଙ୍କର ସାହିତ୍ୟସମାଜର ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ରାୟ ଏଥିର ଜଣେ ଲେଖକ ଥିଲେ । ଏହାର ଦୁଇ ବର୍ଷ ପରେ ‘ଶିକ୍ଷାବନ୍ଧୁ’ ମଧ୍ୟ ପୁନର୍ବାର ପ୍ରଚାରିତ ହୋଇଥିଲା । ଉକ୍ତ ବର୍ଷରେ ମଧ୍ୟ କଟକ ଭିକ୍ଟୋରିଆ ପ୍ରେସରୁ ‘ବ୍ରାହ୍ମ’ ନାମକ ଖଣ୍ଡିଏ ମାସିକପତ୍ର ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କ ସମ୍ପାଦକତ୍ୱରେ ପ୍ରକାଶିତ ହୋଇଥିଲା । ବ୍ରାହ୍ମଧର୍ମ ପ୍ରଚାର ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଥିରେ ସମ୍ପାଦକ ଏବଂ ପ୍ରବର୍ତ୍ତକ ମଧୁବାବୁଙ୍କର ଅନେକ ବ୍ରାହ୍ମଧର୍ମବିଷୟକ ପ୍ରବନ୍ଧ, କବିତା ଓ ସଙ୍ଗୀତ ଏବଂ ଅନ୍ୟାନ୍ୟ ବ୍ରାହ୍ମଲେଖକଙ୍କ ତଦ୍‌ବିଷୟକ ପ୍ରବନ୍ଧମାନ ପ୍ରକାଶିତ ହୋଇଥିଲା ।

 

୩୭. ଉତ୍କଳ ଚିକିତ୍ସକ

 

ଏହି ୯୪ ମସିହାରେ ମଧ୍ୟ ଆଉ ଖଣ୍ଡେ ମାସିକପତ୍ର ଏ ନଗରର ରାୟ ପ୍ରେସରୁ ପ୍ରକାଶିତ ହୋଇଥିଲା । ତାହା ଡାକ୍ତର ରାମକୃଷ୍ଣ ସାହୁଙ୍କ ସମ୍ପାଦିତ ‘ଉତ୍କଳ ଚିକିତ୍ସକ’ । ଦେଶୀୟ ଆୟୁର୍ବେଦଶାସ୍ତ୍ରର ମର୍ମ ପ୍ରକାଶ, ଅଶିକ୍ଷିତ ବୈଦ୍ୟଙ୍କ ହାତରୁ ସାଧାରଣଙ୍କ ରକ୍ଷା ଏବଂ ଶାସ୍ତ୍ରାନୁମୋଦିତ ଚିକିତ୍ସା ଏହି ପତ୍ରିକା ପ୍ରଚାରର ଅଭିପ୍ରାୟ ଥିଲା । ନୟାଗଡ଼ର ରାଜା ଏବଂ କଟକର କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଆର୍ଥିକ ସାହାଯ୍ୟରେ ଏହା ପ୍ରକାଶିତ ହେଉଥିଲା ।

 

୩୮. ଉତ୍କଳବନ୍ଧୁ

 

୧୮୯୬ ମସିହାରେ ‘ଉତ୍କଳବନ୍ଧୁ’ ନାମକ ଖଣ୍ଡିଏ ମାସିକପତ୍ର ତାଳଚେରଠାରୁ ରାଜା ଶ୍ରୀ କିଶୋରଚନ୍ଦ୍ର ବୀରବର ହରିଚନ୍ଦନଙ୍କ ଆନୁକୂଲ୍ୟରେ ପ୍ରକାଶିତ ହୋଇଥିଲା । ଶ୍ରୀଯୁକ୍ତ ବ୍ରଜବନ୍ଧୁ ମିଶ୍ର ଏହାର ସମ୍ପାଦକ ଏବଂ ପ୍ରବର୍ତ୍ତକ ଥିଲେ । କଟକସ୍ଥ ରାୟ ପ୍ରେସରେ ଏ ପତ୍ରିକା ମୁଦ୍ରିତ ହେଉଥିଲା ।

 

୩୯. ପ୍ରଭାତୀ ତାରା

 

କଟକ ମିସନ ଯନ୍ତ୍ରାଳୟରୁ ‘ପ୍ରଭାତୀ ତାରା’ ନାମ୍ନୀ ମାସିକ ପତ୍ରିକା ବର୍ଣ୍ଣିତ ବର୍ଷରେ ମଧ୍ୟ ପ୍ରଥମ ପ୍ରକାଶିତ ହେଲା । ଉତ୍କଳର ଖ୍ରୀଷ୍ଟୀୟାନ ମଣ୍ଡଳୀଙ୍କଦ୍ୱାରା ଏହି ଧର୍ମ ଓ ନୀତିବିଷୟକ ପତ୍ରିକା ନିୟମିତରୂପେ ପରିଚାଳିତ ହୋଇ ଆସୁଅଛି ।

 

40. Ganjam News

 

ଏହି ୯୬ ସାଲରେ ଖଣ୍ଡିଏ ଇଂରାଜୀ ସଂବାଦପତ୍ର ପାରଳାଖେମୁଣ୍ଡି ଗଜପତି ପ୍ରେସରୁ ପ୍ରକାଶିତ ହୋଇଥିଲା । ତାହାର ନାମ ଖେମୁଣ୍ଡିର ‘Ganjam News’ । ମାତୃଭାଷାବତ୍ସଳ ସ୍ୱର୍ଗୀୟ ପଦ୍ମନାଭନାରାୟଣ ଦେବ ଏହି ପତ୍ରିକାର ଅଭିଭାବକ ଏବଂ ସ୍ୱର୍ଗୀୟ ଶ୍ୟାମସୁନ୍ଦର ରାଜଗୁରୁ ସମ୍ପାଦକ ଥିବାରୁ ପତ୍ରିକାଟି ଶୁଭ ଭବିଷ୍ୟତ୍‌ସୂଚନା କରିଥିଲା । ‘ଗଞ୍ଜାମ ନିଉଜ୍‌’ ଯେତେ କାଳ ଥିଲା, ନାନାବିଷୟକ ଆଲୋଚନାରେ ସ୍ୱଦେଶବାସୀଙ୍କ ମନରେ ନବଜାଗରଣ ଆଣିଥିଲା ଏବଂ ସମାଜରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥିଲା । ଏହି ପତ୍ରିକାରେ କେତେକ ବର୍ଷ ଉତ୍ତାରେ ଗଞ୍ଜାମରୁ ଆଉ କେତେଖଣ୍ଡି ଉଲ୍ଲେଖ ଯୋଗ୍ୟ ପତ୍ରିକା ମଧ୍ୟ ଉପର୍ଯ୍ୟୁପରି ପ୍ରକାଶିତ ହୋଇଥିଲା, ମାତ୍ର ସେ ସମସ୍ତ ପରବର୍ତ୍ତୀ ଶତାବ୍ଦୀରେ ପ୍ରଚାରିତ; ତେଣୁ ସେମାନଙ୍କର ପରିଚୟ ଏଥିରେ ପ୍ରକାଶ୍ୟ ନୁହେ ।

 

୪୧. ଉତ୍କଳ ସାହିତ୍ୟ

 

୧୮୯୭ ମସିହା ଆମ୍ଭମାନଙ୍କର ଗୋଟିଏ ସ୍ମରଣୀୟ ବର୍ଷ । ଏହିବର୍ଷରେ ଉତ୍କଳର ଶ୍ରେଷ୍ଠ ମାସିକ ପତ୍ର ଏବଂ ଆଧୁନିକ ପ୍ରବୀଣ ଓ ନବୀନ ଲେଖକମାନଙ୍କର ସାହିତ୍ୟସାଧନାର ପ୍ରଧାନ ସହଚର ‘ଉତ୍କଳ-ସାହିତ୍ୟ’ର ଅଧିକାରୀମାନେ ଉତ୍କଳରେ ଖଣ୍ଡିଏ ମାସିକପତ୍ରର ନିତାନ୍ତ ଅଭାବ ଅନୁଭବ କରି ଆସୁଥିବାରୁ ‘ଇନ୍ଦ୍ରଧନୁ’ ଆଜିଯାଏ ଅଦର୍ଶନ ଭଜି ନ ଥିଲା । ବର୍ତ୍ତମାନ ‘ଉତ୍କଳ-ସାହିତ୍ୟ’ର ଉଦୟରେ ଇନ୍ଦ୍ରଧନୁ ସାହିତ୍ୟା-କାଶରେ ଅଦୃଶ୍ୟ ହୋଇଗଲା । ଏହି ମାସିକ ପତ୍ରିକାର ପ୍ରଚାରରେ ସାହିତ୍ୟର ସମସ୍ତ ଅଭିଭାବକ ଓ ସାଧକମାନେ ଉଦ୍‌ଯୋଗୀ ହୋଇଥିଲେ । ଉତ୍କଳ ସାହିତ୍ୟ ପତ୍ରିକା କଥା କହିବାକୁ ଗଲେ ଏଠା ଟ୍ରେନିଙ୍ଗ୍‌ସ୍କୁଲର ‘ଆଲୋଚନା ସଭା’ର ପରିଚୟ ଦେବା ଆବଶ୍ୟକ ମନେହୁଏ । ଏହି ସଭା ଟ୍ରେନିଙ୍ଗ୍‌ସ୍କୁଲ ଛାତ୍ରମାନଙ୍କର ଉନ୍ନତି ଉଦ୍ଦେଶ୍ୟରେ ଉକ୍ତ ବିଦ୍ୟାଳୟର ତଦାନୀନ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ରାଓଙ୍କ ଏକାନ୍ତ ଯତ୍ନ ଏବଂ ନେତୃତ୍ୱରେ ପ୍ରତିଷ୍ଠିତ ହୋଇଥିଲେହେଁ ସାଧାରଣ ଭାବରେ ସାହିତ୍ୟଚର୍ଚ୍ଚାର ତାହା ଗୋଟିଏ କେନ୍ଦ୍ରସ୍ଥଳ ଥିଲା । ଏହି ସଭାରେ ପଠିତ ଏବଂ ଆଲୋଚିତ ପ୍ରବନ୍ଧ ମାନ ତେତେବେଳେ ‘ଉତ୍କଳ-ସାହିତ୍ୟ’ର କଳେବର ପୃଷ୍ଟ କରୁଥିଲା । ଶିକ୍ଷାବିଭାଗରେ ଯେଉଁ ସାହିତ୍ୟାନୁରାଗୀ ବ୍ୟକ୍ତିମାନେ ବକ୍ତା, ଲେଖକ ଓ ପରିଚାଳକ ଭାବରେ କାର୍ଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ନିମ୍ନ ଲିଖିତ କେତେଜଣଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଶ୍ରୀଯୁକ୍ତ ବିଶ୍ୱନାଥ କର

ଶ୍ରୀଯୁକ୍ତ ଚନ୍ଦ୍ର ମୋହନ ମହାରଣା

ଶ୍ରୀଯୁକ୍ତ ମଧୁସୂଦନ ଦାଶ

ଶ୍ରୀଯୁକ୍ତ ନନ୍ଦକିଶୋର ବଳ

ଶ୍ରୀଯୁକ୍ତ ଦାମୋଦର କର

ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ଚୌଧୂରୀ

ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଶତପଥୀ

ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ନନ୍ଦ

ଶ୍ରୀଯୁକ୍ତ ଦୈତାରି କର

ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ରଥ ।

ଏବଂଶ୍ରୀଯୁକ୍ତ ରାଜମୋହନ ବସୁ

 

ନଅ ବର୍ଷପରେ ଏହି ଆଲୋଚନାସଭାହିଁ ପ୍ରଶସ୍ତତର ଭିତ୍ତି ଉପରେ ସ୍ଥାପିତ ହୋଇ ୧୯୦୩ ମସିହାଠାରୁ ‘ଉତ୍କଳ ସାହିତ୍ୟ ସମାଜ’ ନାମରେ ସମଗ୍ର ଉତ୍କଳର ସାହିତ୍ୟିକ ପରିଷଦରୂପେ ପରିଚିତ ହୋଇଅଛି । ଏ ସମାଜ ମଧ୍ୟ ‘ଉତ୍କଳ ସାହିତ୍ୟ’ର ପୁଷ୍ଟିରେ କିଛି ସାହାଯ୍ୟ କରୁଅଛି; କିନ୍ତୁ ଏ ସମସ୍ତ ସତ୍ତ୍ୱେ ‘ଉତ୍କଳ ସାହିତ୍ୟ’ର ଉନ୍ନତି କେବଳ ମେରୁସ୍ତମ୍ଭପ୍ରାୟ ଅଟଳ’’ ଧୈର୍ଯ୍ୟଧନ ସମ୍ପାଦକଙ୍କ ଉପରେ ବିଶେଷରୂପେ ନିର୍ଭର କରିଅଛି । ସହସ୍ର ବିଘ୍ନରାଶି ମଧ୍ୟରେ ତିଳେ ତିଳେ ଯୁଦ୍ଧ କରି ତାହାକୁ ଏତେ ଦୂରକୁ ଆଣି ତାହାର ସେହି ଉଚ୍ଚ ଲକ୍ଷ୍ୟକୁ ସ୍ଥିର ଏବଂ ଅବିଚଳିତ ରଖିପାରିବା ଅଳ୍ପ ଶ୍ଳାଘାର ବିଷୟ ନୁହେ । ଏଥି ମଧ୍ୟରେ କେତେଥର ତାହାର ଜୀବନନାଟିକାର ସ୍ପନ୍ଦନ ସ୍ଥଗିତ ହେବାକୁ ବସିଥିଲେହେଁ କେବଳ ସମ୍ପାଦକଙ୍କ ଅସୀମ ଧୈର୍ଯ୍ୟ ଓ ଉଦ୍ୟମ ବଳରେ ଅକାଳମୃତ୍ୟୁରୁ ରକ୍ଷା ପାଇଅଛି । ଏଥିଯୋଗୁଁ ଆମ୍ଭେମାନେ ସମ୍ପାଦକ ବିଶ୍ୱନାଥବାବୁଙ୍କ ଠାରେ ବିଶେଷରେ ଋଣୀ । ଏହି ତେଇଶ ବର୍ଷ ମଧ୍ୟରେ ଉତ୍କଳ-ସାହିତ୍ୟ ଶୁଦ୍ଧ ଓ ସୁସଂସ୍କୃତ ଥାଇ ଉତ୍କଳ ସାହିତ୍ୟରାଜ୍ୟରେ କିପରି ଯୁଗାନ୍ତର ଉପସ୍ଥିତ କରାଇଅଛି, କେତେ ନୂତନ ଲେଖକ ସୃଷ୍ଟି କରିଅଛି ଏବଂ ଗଣନୀୟ ଲେଖକ ତିଆରି କରିଅଛି, ସେ ସମ୍ବାଦ ଉତ୍କଳ ସାହିତ୍ୟର ପାଠକ ସାଧାରଣଙ୍କୁ ନିତାନ୍ତ ଅବିଦିତ ନାହିଁ । ସେ ବିଷୟରେ କିଛି ଆଲୋଚନା କରିବା ମଧ୍ୟ ଲେଖକର ଅଭିପ୍ରେତ ନୁହେଁ । ସଂକ୍ଷେପରେ ବିଗତ ଅର୍ଦ୍ଧଶତାବ୍ଦୀର ପତ୍ରିକାମାନଙ୍କର ଜନ୍ମମୃତ୍ୟୁ କାହାଣୀ ଶୁଣାଇବାହିଁ ଏ ପ୍ରବନ୍ଧର ଲକ୍ଷ୍ୟ ଥିଲା । ଅତଏବ ଆମ୍ଭେମାନେ ବର୍ତ୍ତମାନ ଶତାବ୍ଦୀର ଅବଶିଷ୍ଟ ବର୍ଷରେ ପ୍ରକାଶିତ ଆଉ ଦିଓଟି ପତ୍ରିକାର ପରିଚୟ ମାତ୍ର ଦେଇ ଏ ପ୍ରବନ୍ଧର ଉପସଂହାର କରିବୁଁ ।

 

 

୪୨. ଗଞ୍ଜାମ ଓଡ଼ିଆ ହିତବାଦିନୀ

 

ଉକ୍ତ ଦୁଇ ପତ୍ରିକା ମଧ୍ୟରେ ‘ଗଞ୍ଜାମ ଓଡ଼ିଆ ହିତବାଦିନୀ’ ଗୋଟିଏ ପାକ୍ଷିକପତ୍ର । ଏହା ୧୮୯୯ ମସିହାରେ ଜୁନମାସରେ ଗଞ୍ଜାମର ବ୍ରହ୍ମପୁରଠାରୁ ପ୍ରଚାରିତ ହୋଇଥିଲା । ଶ୍ରୀଯୁକ୍ତ ରାଙ୍ଗାଭାଟ୍‌ଲ ଗୁନ୍ନିୟା ଶାସ୍ତ୍ରୀ ଏହାର ପ୍ରଧାନ ଉଦ୍‌ଯୋକ୍ତା ଥିଲେ । କିଛିକାଳ ଉତ୍ତାରେ ପତ୍ରିକାଟି ସପ୍ତାହିକ ହୋଇ ପଣ୍ଡିତ ଶ୍ରୀ ଗଦାଧର ବିଦ୍ୟା-ଭୂଷଣଙ୍କଦ୍ୱାରା ସମ୍ପାଦିତ ହୋଇ ଥିଲା । ବିଦ୍ୟାଭୂଷଣ ମହାଶୟ ସମ୍ପାଦକ ପଦ ପରିତ୍ୟାଗ କଲାପରେ ଶ୍ରୀଯୁକ୍ତ ଚିନ୍ତାମଣି ମହାନ୍ତି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଏହି ପତ୍ରିକାର ସମ୍ପାଦକ ହୋଇଥିଲେ ।

 

୪୩. ଆଲୋଚନା

 

ଖ୍ରୀଷ୍ଟାବ୍ଦ ୧୯୦୦ ରେ ‘ଆଲୋଚନା’ ନାମକ ଖଣ୍ଡିଏ ମାସିକପତ୍ର ବାମଣ୍ଡା ରାଜଧାନୀ ଦେବଗଡ଼ରୁ ପ୍ରଚାରିତ ହୋଇଥିଲା । ଶ୍ରୀଯୁକ୍ତ ଜଳନ୍ଧର ଦେବ ଏହି ପତ୍ରିକାର ସମ୍ପାଦକ ଥିଲେ । ସାହିତ୍ୟନିଷ୍ଠ ସ୍ୱର୍ଗତ ବାମଣ୍ଡାଧିପତି ସଚ୍ଚିଦାନନ୍ଦ ତ୍ରିଭୁବନଦେବଙ୍କଦ୍ୱାରା ପ୍ରତିଷ୍ଠିତ ଏବଂ ପରିଚାଳିତ ବାମଣ୍ଡାର ଆଲୋଚନା ସମିତିହିଁ ଏ ପତ୍ରିକାର ଜନ୍ମ ସୂଚନା କରିଥିଲେ । ଦୁଃଖର ବିଷୟ ଯେ, ରାଜକୁଳ ପ୍ରତି-ପାଳିତ ଏହି ପତ୍ରିକାଟି ମଧ୍ୟ ବହୁ କାଳ ସ୍ଥାୟୀ ହୋଇ ପାରିଲା ନାହିଁ ।

 

ବର୍ତ୍ତମାନ ଲେଖକର ନୀରସ ବର୍ଣ୍ଣନାପତ୍ରପାଠ ଶେଷ ହେଲା । ବିଗତ ଚାଳିଶ ବର୍ଷର ବୃତ୍ତାନ୍ତ ଆଲୋଚନା କରି ଦେଖା ଯାଉଅଛି, ଖ୍ରୀଷ୍ଟୀୟାନ ମିସନରିମାନଙ୍କ ପରି ବ୍ରାହ୍ମସମାଜର ମୁଖ୍ୟ ବ୍ୟକ୍ତିମାନେ ଏ ଦେଶରେ ନୂତନ ପତ୍ରିକା ପ୍ରଚାରରେ ବିଶେଷ ଯତ୍ନ କରିଅଛନ୍ତି । ଉପଯୁକ୍ତ ପରିଚାଳନାର ଅଭାବରୁ କେତେ ପତ୍ରିକାର ଉଦୟ ପଛେ ପଛେ ଅସ୍ତ ହୋଇଅଛି । ପତ୍ରିକା ପରିଚାଳନାରେ ଆପାତତଃ ଯେଉଁ ଅର୍ଥବଳ ନିତାନ୍ତ ଆବଶ୍ୟକ, ତାହା ଏ ଦେଶରେ ନାହିଁ । ଏହା ବ୍ୟତୀତ ସମ୍ପାଦକଙ୍କର ଯୋଗ୍ୟତା, ଧୈର୍ଯ୍ୟ ଓ ବିଚକ୍ଷଣତା, ଦାୟିତ୍ୱଜ୍ଞାନସମ୍ପନ୍ନ ଲେଖକମାନଙ୍କର ପ୍ରବନ୍ଧାବଳୀର ସାରବତ୍ତା ଏବଂ ସର୍ବୋପରି ପାଠକ-ସମାଜର ଗ୍ରାହକତା ଉପରେ ପତ୍ରିକାର ସ୍ଥାୟିତ୍ୱ ଏକାନ୍ତ ନିର୍ଭର କରେ । କୌଣସି କୌଣସି ପତ୍ରିକାର ଅପମୃତ୍ୟୁର ଅନ୍ୟ କାରଣ ଥାଇ ପାରେ; କିନ୍ତୁ ଉଲ୍ଲିଖିତ ତିନୋଟି ସାଧାରଣ ଅଭାବରୁ ଅଧିକାଂଶ ପତ୍ରିକାର ବିଲୟ ଘଟିଅଛି । ଯେଉଁମାନେ ଏହି ସମସ୍ତ ଅଭାବର ନିରାକରଣ ପ୍ରତି ତୀକ୍ଷଣ୍‌ଦୃଷ୍ଟି ନ ରଖି ହଠାତ୍‌ଉତ୍ସାହତରଳ ହୋଇ ପତ୍ରିକାର ପ୍ରଚାର ସୂଚନା କରିପକାନ୍ତି ସେମାନଙ୍କୁ ପଶ୍ଚାତ୍‌ସମାଜରେ ବିଡ଼ମ୍ବିତ ହେବାକୁ ହୁଏ । ସେ ଯାହା ହେଉ ଅତୀତ କଥାରୁ ଏତିକି ମାତ୍ର କହି ଲେଖକ ମନ୍ତବ୍ୟ ପ୍ରକାଶରୁ କ୍ଷାନ୍ତ ହେଲା । ଅତୀତ ଘଟନାବଳୀର ସମାଲୋଚନା କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେ, ଏହା ପୂର୍ବରୁ କୁହା ଯାଇଅଛି । ବରଂ ଏହାକୁ ପୂର୍ବପୀଠିକା କରି କେହି ଯଦି ସମାଲୋଚନା କରିବେ, ପଛେ କରନ୍ତୁ ।

Image